ତୁର୍କୀ ଅର୍ଥନୀତି ଧ୍ୱଂସ କରିବା ପାଇଁ ଆମେ ପ୍ରସ୍ତୁତ: ଟ୍ରମ୍ପ

ୱାଶିଂଟନ, ଏଜେନ୍ସି : ଉତ୍ତର-ପୂର୍ବ ସିରିଆରେ ତୁର୍କୀର ସେନା କାର୍ଯ୍ୟାନୁଷ୍ଠାନ ବିରୋଧରେ ତୁଣ୍ଡ ଖୋଲିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତୁର୍କୀ ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରି ଟ୍ରମ୍ପ ଷ୍ଟିଲ୍ର ଆନ୍ତର୍ଜାତିକ ବଜାର ଦରକୁ ବୃଦ୍ଧି କରିଛନ୍ତି। ଗତ ମେ’ରେ ଟ୍ରମ୍ପ ପ୍ରଶାସନ ଷ୍ଟିଲର ରପ୍ତାନି ଦର କମାଇଥିଲା। ବର୍ତ୍ତମାନ ଷ୍ଟିଲର ରପ୍ତାନି ଦରରେ ୫୦% ବୃଦ୍ଧି କରାଯାଇଛି। ତୁର୍କୀ ସହ ଆମେରିକାର ୧୦୦ ବିଲିୟନ୍ ଡଲାର ବାଣିଜ୍ୟ ରାଜିନାମାକୁ ବାତିଲ କରିବା ସହ କିଛି ତୁର୍କୀ ଅଧିକାରୀଙ୍କ ଉପରେ ଆର୍ଥିକ ବାସନ୍ଦ ଲାଗୁ କରିଛି ୱାଶିଂଟନ। ସିରିଆରୁ ସେନା ଅପସାରଣ ସମ୍ପର୍କରେ ଆମେରିକା ଘୋଷଣା କରିବାର ୨୪ ଘଣ୍ଟା ବିତିବା ପୂର୍ବରୁ ଅସ୍ତ୍ରଶସ୍ତ୍ରରେ ସଜିତ ତୁର୍କୀସେନା ସିରିଆ ସୀମାନ୍ତବର୍ତ୍ତୀ ଇଲାକା ଉପରେ ଆକ୍ରମଣ କରିଦେଇଛି। ତୁର୍କୀର ଲଢ଼ୁଆ ଜେଟ୍ ସିରିଆର କୁର୍ଦ୍ଦିସ ବିଦ୍ରୋହୀଙ୍କ ସମେତ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିଛି। ଗୃହ ଯୁଦ୍ଧରେ ଜର୍ଜରିତ ସିରିଆର ସାଧାରଣ ଲୋକମାନେ ପିଲାପିଲିଙ୍କୁ ଧରି ଜୀବନ ବିକଳରେ ପଡ଼ୋଶୀ ଦେଶକୁ ପଳାୟନ କରୁଛନ୍ତି। ସିରିଆ ଜନତାଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁର୍କୀ ବିରୋଧରେ ଏପରି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

ଆମେରିକାର ଆର୍ଥିକ ବାସନ୍ଦ ତାଲିକାରେ ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ ହୁଲୁସୀ ଆକର, ସ୍ୱରାଷ୍ଟ୍ର ମନ୍ତ୍ରୀ ସୁଲେମାନ ସୋୟଲୁ ଓ ଶକ୍ତିମନ୍ତ୍ରୀ ଫାତିହ ଡୋନମେଜଙ୍କ ନାମ ଅଛି। ଆମେରିକାର ନିମ୍ନ ସଦନ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସ’ର ବାଚସ୍ପତି ନାନ୍ସୀ ପେଲୋସୀଙ୍କ ନିକଟକୁ ଚିଠି ଲେଖି ତୁର୍କୀ ବିରୋଧରେ ନ୍ୟାସନାଲ୍ ଏମର୍ଜେନ୍ସି ଘୋଷଣା କରିବାକୁ ପରାମର୍ଶ ଦେଇଛନ୍ତି। ସିରିଆରୁ ସେନା ପ୍ରତ୍ୟାହାର ସମ୍ପର୍କିତ ଟ୍ରମ୍ପଙ୍କ ଘୋଷଣାକୁ ରିପବ୍ଲିକାନ୍ ସାଂସଦମାନେ ନାପସନ୍ଦ କରିଛନ୍ତି। କୁର୍ଦ୍ଦିସ ବିଦ୍ରୋହୀଙ୍କୁ ଅଧାବାଟରେ ଛାଡ଼ି ଆମେରିକା ସେନା ଫେରିଆସିବା ଏକପ୍ରକାର ‘ଧୋକା’ ବୋଲି ରିପବ୍ଲିକାନ୍ ପାର୍ଟି ମତପୋଷଣ କରିଛି।

ହ୍ୱାଇଟ୍ ହାଉସରୁ ପ୍ରକାଶିତ ବିଜ୍ଞପ୍ତିରେ ସିରିଆରେ ମାନବାଧିକାର ଉଲ୍ଲଙ୍ଘନ କାର୍ଯ୍ୟକଳାପ, ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ବେସାହାରା ପରିବାରଙ୍କ ଗତିରୋଧ, ଶରଣାର୍ଥୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ସିରିଆର ଶାନ୍ତି, ସ୍ଥିରତା ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବାର ଜଣାପଡ଼ିଲେ, ତୁର୍କୀ ପ୍ରତି ଅର୍ଥନୈତିକ ପ୍ରତିବନ୍ଧକ ଜାରି ସମ୍ପର୍କରେ ୱାଶିଂଟନର କଡ଼ା ଆଭିମୁଖ୍ୟ ସମ୍ପର୍କରେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କୁ ଜଣାଇ ଦିଆଯାଇଛି। ତୁର୍କୀର ସେନା କାର୍ଯ୍ୟାନୁଷ୍ଠାନ ସିରିଆର ଉତ୍ତର-ପୂର୍ବାଞ୍ଚଳରେ ମାନବାଧିକାର ଉଲ୍ଲଙ୍ଘନ ଓ ଯୁଦ୍ଧ ଅପରାଧ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଟ୍ରମ୍ପ କହିଛନ୍ତି, ‘ତୁର୍କୀନେତାମାନେ ଧ୍ୱଂସମୁଖୀ ଓ ବିପଦପୂର୍ଣ୍ଣ ପନ୍ଥା ଅବଲମ୍ବନ କଲେ, ତୁର୍କୀ ଅର୍ଥନୀତିକୁ ଧିରେଧିରେ ତଳିତଳାନ୍ତ କରିଦେବାର ବାଟ ପ୍ରସ୍ତୁତ କରାଯାଇଛି।’ ତୁର୍କୀ ସରକାରଙ୍କ ସିରିଆ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥା ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିବାକୁ ଟ୍ରମ୍ପ ଖୋଲା ଆହ୍ୱାନ ଦେଇଛନ୍ତି।