ଭାରତ ବିରୋଧରେ ମିଛ ଅପପ୍ରଚାର ଲାଗି ଷଡ଼ଯନ୍ତ୍ର କରୁଛି ତୁର୍କୀ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର କରୁଛି ତୁର୍କୀ। ତୁର୍କୀ ସରକାର କଶ୍ମୀର ବିଚ୍ଛିନ୍ନତାବାଦୀଙ୍କୁ ନିଜର ଗଣମାଧ୍ୟମରେ ସ୍ଥାନ ଦେଇଛି। ଏହା ଦ୍ୱାରା ଭାରତ ବିରୋଧରେ ମିଛ ଅପପ୍ରଚାର କରାଯାଇପାରିବ। ଗତ ୧୫ ତାରିଖରେ ତୁର୍କୀର ଗଣମାଧ୍ୟମରେ ଏକ ବିବାଦୀୟ ରିପୋର୍ଟ ପ୍ରକାଶ ପାଇଥିଲା। ବିଚ୍ଛିନ୍ନତାବାଦୀ ନେତା ଅହମ୍ମଦ ଶାହଙ୍କ ଝିଅ ରୁଆ ଶାହା ଏହାକୁ ଲେଖିଛନ୍ତି। ଏହି ଲେଖା ମାଧ୍ୟମରେ ସେ ଭାରତର ଅପପ୍ରଚାର କରିବାକୁ ଉଦ୍ୟମ କରିଛନ୍ତି।

ଜାତୀୟ ତଦନ୍ତ ସଂସ୍ଥା ୨୦୧୭ରେ ରୁଜୁ ହୋଇଥିବା ଏକ ମାମଲାରେ ରୁଆଙ୍କୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଅଭିଯୁକ୍ତ କରିଥିଲା। ସେ ନିଜର ଲେଖାରେ କଶ୍ମୀର ଠାରୁ ଦୂରରେ ରହୁଥିବା ବ୍ୟଥା ନେଇ ଭାରତର ଚିତ୍ର ଉପରେ ପ୍ରଭାବ ପକାଇବାକୁ ଉଦ୍ୟମ କରିଛନ୍ତି। ଲେଖାରେ କୁହାଯାଇଛି ଯେ, କଶ୍ମୀରର ଶିଶୁ କେବେ ସାଧାରଣ ଜୀବନ ନେଇ ବଂଚିପାରିବ ନାହିଁ। ଏନଆଇଏର ତଦନ୍ତ ଅନୁସାରେ ବିଚ୍ଛିନ୍ନତାବାଦୀ ନେତା ଅଲତାଫ ଅହମ୍ମଦ ଶାହ କଶ୍ମୀର ଘାଟିରେ ସୁରକ୍ଷା ବଳ ଉପରେ ପଥରମାଡ଼, ସ୍କୁଲରେ ନିଆଁ ଲଗାଇବା, ସର୍ବସାଧାରଣ ସଂପତ୍ତିକୁ କ୍ଷତି ପହଞ୍ଚାଇବା ଏବଂ ଯୁଦ୍ଧ ଭଳି ଆତଙ୍କବାଦୀ ଗତିବିଧି ଲାଗି ପାଣ୍ଠି ଯୋଗାଉଥିଲା।

କେବଳ କଶ୍ମୀର ବିଚ୍ଛିନ୍ନତାବାଦୀ ନୁହଁନ୍ତି, ସ୍ଥାନୀୟ ଗଣମାଧ୍ୟମରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଚାକିରି ଦିଆଯାଉଛି। ଏହି ସବୁ ରାଷ୍ଟ୍ରପତି ରେଚେପ ତୈୟପ ଏର୍ଦୋଗନଙ୍କ ଜାଣତରେ ହେଉଛି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି। ଘରୋଇ ରାଜନୀତିରେ ଚରମପନ୍ଥୀଙ୍କୁ ଦବାଇବା ଏବଂ କଟ୍ଟର ଇସଲାମିକ ଚିନ୍ତାଧାରା ରଖୁଥିବା ଲୋକଙ୍କ ବିକାଶରେ କାମ କରିବାକୁ ପ୍ରୋତ୍ସାହନ ଦେଇଥାନ୍ତି। ଏଥି ଲାଗି ଗଣମାଧ୍ୟମରେ ଚରମପନ୍ଥୀ ଚିନ୍ତାଧାରା ରଖୁଥିବା ପାକିସ୍ତାନୀ ସାମ୍ବାଦିକଙ୍କୁ ସାମଲ କରାଯାଉଛି। କାରଣ ଏହି ସାମ୍ବାଦିକମାନଙ୍କୁ ଜଣା ଯେ ତୁର୍କୀ ରାଷ୍ଟ୍ରପତିଙ୍କୁ କିପରି ସନ୍ତୁଷ୍ଟ କରିହେବ।