ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରୋହତାଙ୍ଗସ୍ଥିତ ଅଟଲ ଟନେଲ ପରିଦର୍ଶନ କରିଛନ୍ତି । ଟନେଲ୍ ଉଦ୍ଘାଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହିତ ରାଜନାଥ ଆଲୋଚନା କରିଛନ୍ତି । ଶନିବାର ସକାଳ ୧୦ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଟନେଲ୍ଟିକୁ ଲୋକାର୍ପଣ କରିବେ । ଅଟଲ ଟନେଲ୍ଟି ବିଶ୍ୱର ସବୁଠାରୁ ଦୀର୍ଘତମ ରାଜପଥ ଭାବେ ପ୍ରସିଦ୍ଧି ଅର୍ଜନ କରିବ । ତା’ ସହିତ ମାନାଲି ଓ ଲେହ ଦୂରତାରେ ପ୍ରାୟ ୪୬ କିଲୋମିଟର ହ୍ରାସ ପାଇଛି ।
ମାନାଲି ଅଭିମୁଖେ ଯିବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସୋସିଆଲ ମିଡ଼ିଆରେ ଦୁଇଦିନିଆ ହିମାଚଳ ପ୍ରଦେଶ ଗସ୍ତ ବିଷୟରେ ଉଲ୍ଲେଖ କରିଛନ୍ତି । ବରଫାବୃତ ହିମାଚଳ ପ୍ରଦେଶର ଆକସ୍ମିକ ବରଫଝଡ଼ ଓ ହିମସ୍ଖଳନ ମୁକାବିଲା ପ୍ରସ୍ତୁତି, ପ୍ରବଳ ଥଣ୍ଡାରେ ଯବାନଙ୍କ ନିରାପତ୍ତା ସମେତ ଅଟଲ ଟନେଲ୍ ଉଦ୍ଘାଟନ ସମାରୋହ ବିଷୟରେ ଟିକିନିଖି ବିବରଣୀ ସଂଗ୍ରହ କରିଥିଲେ ।