ଓଡ଼ିଶା ଓ ତେଲେଙ୍ଗାନା ମଧ୍ୟରେ ଚୁକ୍ତି: ବିଭିନ୍ନ ରୁଟରେ ଚାଲିବ ୨୩ ବସ୍‌

ଭୁବନେଶ୍ବର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ଓ ତେଲେଙ୍ଗାନା ମଧ୍ୟରେ ବସ୍ ଚଳାଚଳ ପାଇଁ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ହାଇଦ୍ରାବାଦ ବସ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଚୁକ୍ତି ଅନୁଯାୟୀ, ଉଭୟ ରାଜ୍ୟର ବିଭିନ୍ନ ରୁଟରେ ଉଭୟ ପକ୍ଷର ୨୩ଟି ବସ୍ ଚଳାଚଳ କରିବ । ଓଏସଆରଟିସିର ୧୩ଟି ଓ ଟିସଆରଟିସିର ୧୦ଟି ବସ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି । ଏହି ଅନ୍ତଃରାଜ୍ୟ ବସ୍ ସେବା ଚଳାଚଳ ଲାଗି ଓଡ଼ିଶାର ବିଆରଏସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଚୁକ୍ତିନାମା ସ୍ବାକ୍ଷର ସମୟରେ ଟିଆରଏସଟିସି ଅଧ୍ୟକ୍ଷ ତଥା ବିଧାୟକ ବାଜିରେଡି ଗୋବର୍ଦ୍ଧନ, ଟିଆରଟିସି ଏମଡିଭିସି ସାଜନାର, ଓଏସଆରଟିସି ଏମଡି ଦୀପ୍ତେଶ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ଚୁକ୍ତି ଅନୁସାରେ କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାକୁ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରୁ ବସ୍ ଚଳାଚଳ କରିବ । ଜୟପୁର-ହାଇଦ୍ରାବାଦ, ନବରଙ୍ଗପୁର-ହାଇଦ୍ରାବାଦ, ରାୟଗଡ଼ା-ଖମାମ, ଜୟପୁର-ଭଦ୍ରାଚଳମ, ଭଦ୍ରାଚଳମ-ଜୟପୁର, ଖମାମ-ରାୟଗଡ଼ା, ରାୟଗଡ଼ା-କରିମନଗର, ଭବାନୀପାଟଣା-ବିଜୟୱାଡା ଆଦି ରୁଟରେ ବସ୍ ଚାଲିବ ବୋଲି ସୂଚନା ମିଳିଛି ।