ଶୃଣ୍ୱନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରା, ସତ୍ୟଂ ବଦ ଧର୍ମଂ ଚର: ମନୋଜ କୁମାର ମହାପାତ୍ର

ମନୁଷ୍ୟର ମନ ଅତୀବ ବିଚିତ୍ର। କେତେବେଳେ ମୁକ୍ତ, କେତେବେଳେ ବି ବନ୍ଧିତ। ପ୍ରତି ମୁହୂର୍ତ୍ତରେ ଅସଂଖ୍ୟ ଭାବନା ମନ ଭିତରକୁ ପଶୁଥାଏ, ପୁଣି ବାହାରି ଯାଉଥାଏ। କେତେକ ବି ବହୁ ସମୟ ଧରି ରହି ଯାଉଯାଏ। ଯୋଗସୂତ୍ରରେ ଏହାକୁ ‘ଚିତ୍ତବୃତ୍ତି ନିରୋଧ’ କୁହାଯାଏ। ମନ ଇନ୍ଦ୍ରିୟମାନଙ୍କ ବିଷୟ ପ୍ରତି ଆସକ୍ତ ହେବା କ୍ଷଣି ବନ୍ଧନ ଅଭିମୁଖେ ମଣିଷକୁ ନେଇଯାଏ ଏବଂ ମନକୁ ବିଷୟ ବାସନାଠାରୁ ଦୂରେଇ ନେଇ ଅନାସକ୍ତ ହେଲେ ମଣିଷ ଜୀବନର ଶ୍ରେଷ୍ଠ ମୋକ୍ଷ ପଥରେ ଯାତ୍ରା କରେ। ସେଥିପାଇଁ ଅମୃତ ବିନ୍ଦୁ ଉପନିଷଦରେ କୁହାଯାଇଛି – ମନ ହିଁ ଉଭୟ ମୋକ୍ଷ ଓ ବନ୍ଧନର କାରଣ- ‘ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧମୋକ୍ଷୟୋଃ। ବନ୍ଧାୟ ବିଷୟାସକ୍ତଂ ମୁକ୍ତୟୈ ନିର୍ବିଷୟଂ ସ୍ମୃତମ୍।’ ଏହି କଥାଟିକୁ ଆମେ ସମସ୍ତେ ଜାଣନ୍ତି, ତଥାପି ମନକୁ ଶାନ୍ତ ନ କରିପାରି ତା’ରି ଫାଶରେ ପଡ଼ି ଯାଆନ୍ତି। ତାହା ସତ୍ତେ୍ୱ ବି ସତଚିନ୍ତା ମନକୁ ଶୁଚୀ ଓ ଶୁଭ୍ର କରି ରଖେ; ସେଠାରେ ମଳିନତାର ସ୍ପର୍ଶ ଲାଗିବାକୁ ଦିଏନି।

‘ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧମୋକ୍ଷୟୋଃ। ବନ୍ଧାୟ ବିଷୟାସକ୍ତଂ ମୁକ୍ତୟୈ ନିର୍ବିଷୟଂ ସ୍ମୃତମ୍।

ସ୍ୱାମୀ ବିବେକାନନ୍ଦ କହନ୍ତି- ଆମମାନଙ୍କର ଶୁଭାଶୁଭ ପ୍ରତ୍ୟେକଟି ଚିନ୍ତା, ସୁଖଦୁଃଖର ପ୍ରତ୍ୟେକଟି ଅନୁଭୂତି ସୂକ୍ଷ୍ମାବସ୍ଥାରେ ମନରେ ସଞ୍ôଚତ ଥାଏ। ମନ ହେଉଛି ଶରୀରର ସୂକ୍ଷ୍ମ ଅଂଶ। ଶରୀର ନାଶ ହେଲେ ଏହା ସାଙ୍ଗେ ସାଙ୍ଗେ ନଷ୍ଟ ହୁଏନି। ପୁନର୍ବାର ଦେହ ଧାରଣ ସମୟରେ ଆମର ସୂକ୍ଷ୍ମ ଶରୀର ଏହି ଅନୁଭୂତିର ପୁଟୁଳିଟି ସାଙ୍ଗରେ ନେଇଆସେ। ଏହାକୁ ସଂସ୍କାର କହନ୍ତି। ଆମମାନଙ୍କ ମନର ବର୍ତ୍ତମାନ ଗଠନ ଓ ଚରିତ୍ର ପୂର୍ବ ଜନ୍ମରେ ଓ ଏହି ଜନ୍ମରେ ଯାହା ଚିନ୍ତା କରିଛୁ, ଅନୁଭବ କରିଛୁ, ତାହାର ସମଷ୍ଟି ମାତ୍ର। ଯେହେତୁ ଆମେ ଏହାକୁ ଗଢ଼ିଛୁ, ଇଚ୍ଛା କଲେ ଏହାକୁ ବି ଭାଙ୍ଗି ପୁଣି ଅନ୍ୟ ଭାବରେ ଗଢ଼ିପାରୁ। ପୁନରାବୃତ୍ତ କେତୋଟି ଚିନ୍ତା ଓ ଅନୁଭୂତିର ଛାପ ହିଁ ଅଭ୍ୟାସରେ ପରିଣତ ହୁଏ। ସେଥିପାଇଁ ବଦଭ୍ୟାସର ହସ୍ତରୁ ନିଷ୍କୃତି ପାଇବାର ଏକମାତ୍ର ଉପାୟ ହେଉଛି ମନ ଉପରେ ଏହାର ବିପରୀତ ଚିନ୍ତାର ଛାପ ଦେଇ ସଦ୍-ଅଭ୍ୟାସ ଗଢ଼ିବା। ସତସଙ୍ଗ, ସତକର୍ମ ଓ ସତ୍ ଚିନ୍ତା ଦ୍ୱାରା ସଦ୍- ଅଭ୍ୟାସ ଗଠିତ ହୁଏ। ଏହା ନହେଲେ ମନ ବେପରୁୱା ହୋଇଯାଇ ନାନା ପ୍ରକାର ସମସ୍ୟା ସୃଷ୍ଟି କରେ। ମନଠାରୁ ପାଜି କେହି ନାହାନ୍ତି।

ଜଣେ ଜେନ୍ ସନ୍ନ୍ୟାସୀ ତଥା ପ୍ରଫେସର ତାଙ୍କର ପୁସ୍ତକ “ଦ ଥିଙ୍ଗସ୍ ୟୁ କ୍ୟାନ୍ ସି ଓନଲି ହ୍ୱେନ୍ ୟୁ ସ୍ଲୋ ଡାଉନ୍’ ପୁସ୍ତକରେ ସୁନ୍ଦର ଭାବେ ମନ ଓ ସଂସାରକୁ ବିଷ୍ଳେଶଣ କରି କହନ୍ତି- ମନ ଓ ସଂସାର ପରସ୍ପରଠାରୁ ସ୍ୱାଧୀନ ଭାବରେ ଭିନ୍ନ। ଆମକୁ ଯଦି କେହି ପଚାରେ ଯେ ତୁମର ମନ କେଉଁଠି, ଆମେ ସାଧାରଣତଃ ସଙ୍ଗେ ସଙ୍ଗେ ମୁଣ୍ଡ କିମ୍ବା ହୃଦୟକୁ ଇସାରା କରନ୍ତି, କିନ୍ତୁ ଆକାଶ କି ଗଛକୁ ଦେଖାନ୍ତିନି। ଆମ ମନରେ କ’ଣ ଘଟେ ଏବଂ ସଂସାରରେ କ’ଣ ଘଟେ, ତାହା ଭିତରେ ଆମେ ଏକ ସୀମା ବା ବାଉଣ୍ଡାରୀ ରେଖା ଟାଣି ଦେଇଥାନ୍ତି। ବାହାରର ଜଗତ ବହୁତ ବିଶାଳ, କିନ୍ତୁ ମନ ଦେହ ଭିତରେ ରହି ସେଇ ବିଶାଳତାକୁ ଦେଖି ପାରନ୍ତିନି, ବରଂ ନିଜକୁ କ୍ଷୁଦ୍ର, ସଙ୍କୁଚିତ ଏବଂ ବେଳେବେଳେ ଦୁର୍ବଳ ବୋଲି ଅନୁଭବ କରିଥାନ୍ତି। ଭଗବାନ ବୁଦ୍ଧ କହନ୍ତି ଯେ ମନ ଓ ଜଗତ ଭିତରେ ଯେଉଁ ବାଉଣ୍ଡାରୀ ବା ପାଚେରୀ ରହିଛି, ତାହା ବାସ୍ତବରେ ଅତି ପତଳା, ଛିଦ୍ରିତ ଏବଂ ଭ୍ରମାତ୍ମକ। ଏହାର ମାନେ ନୁହେଁ ଯେ ଏହି ଜଗତ ଭିତରେ ରହିଛି ସୁଖ ଓ ଦୁଃଖ ଯାହା ଆମ ମନକୁ ସୁଖ କିମ୍ବା ଦୁଃଖର ଅନୁଭବ ଜାତ କରାଇ ଥାଏ।

ଦେଖିବାକୁ ଗଲେ, ଅନୁଭବ ହିଁ ମନରେ ସୃଷ୍ଟି ହୋଇ ଜଗତର ଅନୁଭୂତି ଗୋଟାଇ ଥାଏ। ଜଗତରେ ନାହିଁ ପ୍ରକୃତରେ ସୁଖ କି ଦୁଃଖ। ଉଦାହରଣଟିଏ ଦେଇ ଜେନ୍ ଲେଖିକା କହନ୍ତି- ମନ୍ଦିରରେ ଗୋଟିଏ ଧ୍ୟାନକକ୍ଷ ନିର୍ମାଣ ପ୍ରକ୍ରିୟାର ଦେଖାଶୁଣା କରୁଥିଲି। ଛାତ ଉପରେ ଟାଇଲଗୁଡ଼ାକ ଯେତେବେଳେ ବସା ଯିବାର ସମୟ ଆସିଲା, ସେତେବେଳେ ଦେଖିଲି ଓ ଭାବିଲି, ଏଗୁଡ଼ିକ କେଉଁ ଉପାଦାନରେ ତିଆରି ହେଇଛି, ଏହାର ମୋଟେଇ କେତେ ଏବଂ ଡିଜାଇନ୍ କ’ଣ? କିନ୍ତୁ ଯେତେବେଳେ ଚଟାଣରେ ଟାଇଲଗୁଡ଼ାକ ବସାଗଲା, ସେତେବେଳେ ଦେଖିଲି, କେବଳ ଚଟାଣ ହିଁ ଚଟାଣ। ଏହାର ରଙ୍ଗ, ମୌଳିକତା ଓ ଅନ୍ୟାନ୍ୟ ଉପାଦାନ ପ୍ରତି ମୋର ନଜର ରହିଲାନି, କିନ୍ତୁ ହଠାତ୍ ମୋ ମନରେ ଏକ ନିଆରା ଭାବନାର ଉଦୟ ଘଟିଲା- ଆମେ ଯେତେବେଳେ ବାହ୍ୟ ସଂସାରକୁ ଦେଖୁ, ସେତେବେଳେ ବିଶାଳ ଜଗତର ଆମକୁ ସୁହାଇଲା ଭଳି ଏକ ଅଂଶ ମାତ୍ର ଦେଖିଥାଉ। ଯେଉଁ ଟିକକ ସଂସାର ଆମେ ଦେଖୁ, ତାହା କେବେ ବି ସମଗ୍ର ଜଗତ ନୁହେଁ, ବରଂ ଏହା ଆମର ମନକୁ ସୁହାଇଲା ଭଳି ଏକ ସୀମିତ ସଂସାରର ଅଂଶ ଅଟେ। କିନ୍ତୁ ଆମର ମନକୁ ଲାଗେ, ଏହି ଛୋଟିଆ ସଂସାର ହେଉଛି ସମଗ୍ର ଜଗତ।

ଆମର ପ୍ରକୃତ ବାସ୍ତବତା ବା ରିୟଲିଟି ଅସୀମ ବ୍ରହ୍ମାଣ୍ଡ ଅଭିମୁଖେ ଆଦୌ ପ୍ରସାରିତ ନୁହେଁ, ବରଂ ଆମର ମନ ଯେଉଁ ଟିକକ ସଂସାରକୁ ଅନୁଭବ କରିଥାଏ, ତା’ରି ଉପରେ ଆମର ଦୃଷ୍ଟି ବା ଏକାଗ୍ରତା ଲାଗି ରହେ। କହିବା ବାହୁଲ୍ୟ ହେବନି ଯେ ଯେହେତୁ ବାସ୍ତବତା ବା ରିୟଲିଟିର ଅସ୍ତିତ୍ୱ ଅଛି, ସେଥିପାଇଁ ଆମ ମନର ଅସ୍ତିତ୍ୱ ରହିଛି। ଯେହେତୁ ଆମର ମନ ସଂସାର ପ୍ରତି ସଚେତନ, ତେଣୁ ଜଗତର ଅସ୍ତିତ୍ୱ ଆମ ମନକୁ ଆସେ। ଆମେ ଜଗତର ରିୟଲିଟି ପ୍ରତି ସଚେତନ ନ ରହିଲେ ବଞ୍ôଚ ପାରିବାନି। ଅସ୍ତିତ୍ୱକୁ ବଜାୟ ରଖିବାକୁ ସଂସାର ଆମ ମନ ଉପରେ ନିର୍ଭର କରେ, ଯେମିତି ଆମର ମନ ଆମର ‘ସଚେତନତା’ର ଏକ ବିଷୟ ଭାବେ ସଂସାର ଉପରେ ନିର୍ଭରଶୀଳ।

ଅନ୍ୟ ଭାବେ ଚିନ୍ତା କଲେ, ଏମିତି ହେବ- ଆମ ମନର ସଚେତନତା ହିଁ ସଂସାରର ଅସ୍ତିତ୍ୱକୁ ଆଣିଥାଏ। ଆମର ମନ ଯାହା ଉପରେ ଫୋକସ୍ କରେ, ତାହା ହିଁ ହୋଇଯାଏ ଆମର ସଂସାର। ଏହିଭଳି ଭାବରେ ଦେଖିଲେ ଆମେ ଜାଣି ପାରିବା ଯେ ବାହ୍ୟ ସଂସାର ବା ଜଗତ ପରିପ୍ରେକ୍ଷୀରେ ଆମ ମନ ଏତେ ମହତ୍ତ୍ୱପୂର୍ଣ୍ଣ ନୁହେଁ। ସେଥିପାଇଁ ଜେନ୍ ଗୁରୁ ଲେଖିକା କହନ୍ତି ଯେ ଆମେ ଆମ ମନର ଚକ୍ଷୁ ମାଧ୍ୟମରେ ଯେଉଁ ସଂସାର ଦେଖନ୍ତି, ତାହା ଖୁବ୍ ସୀମିତ। ତେଣୁ କେଉଁ ଜିନିଷ ଉପରେ ଆମର ମନକୁ କେନ୍ଦ୍ରୀଭୂତ ବା ଫୋକସ୍ କରିବା, ସେଥି ପ୍ରତି ଆମର ମନକୁ ଭଲ ଭାବରେ ପ୍ରଶିକ୍ଷିତ କରିବା ଉଚିତ।

ସେତିକି କରି ପାରିଲେ ଆମ ମନର ଅବସ୍ଥା ଅନୁଯାୟୀ ସଂସାର ବା ଜଗତକୁ ଠିକ୍ ଅନୁଭୂତି ଭାବେ ଅର୍ଜନ କରି ପାରିବା। ଏକ ବିଖ୍ୟାତ ବୌଦ୍ଧ ବାଣୀ ଅନୁସାରେ, ‘ଏ ସଂସାରର ପ୍ରତ୍ୟେକ ବ୍ୟକ୍ତି ଭଗବାନ ବୁଦ୍ଧଙ୍କ ଚକ୍ଷୁରେ ବୁଦ୍ଧ ଭଳି ଦେଖା ଯାଉଥିଲେ, କିନ୍ତୁ ଗୋଟିଏ ଘୁଷୁରୀ ଆଖିରେ ଘୁଷୁରୀ ଭଳି ଦେଖା ଯାଆନ୍ତି।’ ସୁତରାଂ, କୁହାଯାଇଛି ଯେ ଜଣେ ନିଜର ମାନସିକତା ଅନୁଯାୟୀ ସଂସାରରୁ ଅନୁଭୂତି ଅର୍ଜନ କରିଥାଏ। ଯେତେବେଳେ ଆମର ମନ ଖୁସୀ ଓ କରୁଣାରେ ପରିପୂର୍ଣ୍ଣ ଥାଏ, ସାରା ସଂସାରଟା ଠିକ୍ ସେହିପରି ଆମ ମନରେ ଉଦ୍ଭାସିତ ହୁଏ। ମନରେ ଯଦି ନକାରାତ୍ମକ ଭାବନା ଚରିଯାଏ, ତେବେ ସଂସାର ଦିଶେ ସବୁ ପ୍ରକାର ନକାରାତ୍ମକତାରେ ପରିପୂର୍ଣ୍ଣ। ସେ ପୁଣି କହନ୍ତି- ମନେରଖ, ତୁମେ ଯେତେବେଳେ ପ୍ରବଳ କର୍ମ ବ୍ୟସ୍ତତାରେ ସମ୍ପୂର୍ଣ୍ଣ ଜଡ଼ିତ ବୋଲି ଅନୁଭବ କର, ସେତେବେଳେ ତୁମେ କେବେ ଭାବନା ଯେ ତୁମେ ଶକ୍ତିଶାଳୀ ନୁହଁ ବୋଲି। କାହିଁକି ନା ତୁମର ମନ ବିଶ୍ରାମ ନେଲେ, ସାରା ସଂସାର ବି ବିଶ୍ରାମ ନେଇଥାଏ।

କିନ୍ତୁ ଆମେ ତାହା କରୁନା। କିଏ ଟଏଲେଟରେ ବସି ପେପର ପଢ଼େ ତ କିଏ ବିଶ୍ରାମ ନେଉଥିବା ବେଳେ ଫେସବୁକ୍, ହ୍ୱାଟସଆପ୍ ଭଳି ସୋସିଆଲ ମିଡିଆରେ ବ୍ୟସ୍ତ ରହେ। ଏପରି କଲେ ନା ଆମର ମନ ସ୍ଥିର ରହିବ, ନା ଆମକୁ ଶାନ୍ତି ମିଳିବ। ସଂସାରଟା ବିଷ ଭଳି ବୋଧ ହେବ ଏବଂ ବାସ୍ତବ ସତ୍ୟ ପାଖରୁ ଦୂରେଇ ଯିବା କେବଳ ସାର ହେବ। ତାହା ହିଁ ଭଗବାନ କୃଷ୍ଣ ଗୀତାରେ କହିଛନ୍ତି- ଯେଉଁ ଲୋକ ମନକୁ ସଂଯତ କରି ନିଶ୍ଚଳ ଭାବରେ ରଖି ନ ପାରେ, ସେ କେବେ ବି ଯୋଗ ପାଇଁ ଉପଯୁକ୍ତ ନୁହେଁ। ଯିଏ ମନ ଓ ଇନ୍ଦ୍ରିୟକୁ ସଂଯମ ଦ୍ୱାରା ନିଜର ଆୟତ୍ତରେ ରଖିଥାଏ, ସେ ଯୋଗସିଦ୍ଧ ହୋଇଥାଏ।