ଜଳବାୟୁ ପରିବର୍ତ୍ତନ ରୋକିବାରେ ଚୀନ୍ ଓ ଭାରତ ବିଫଳ: ଟ୍ରମ୍ପ

ୱାଶିଂଟନ,ଏଜେନ୍ସି: ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଓ ଭାରତକୁ ଟାର୍ଗେଟ୍ କରିଛନ୍ତି। ସେ ନ୍ୟୁୟର୍କର ଅର୍ଥନୈତିକ କ୍ଲବରେ କହିଛନ୍ତି, ଚୀନ, ଭାରତ ଓ ରୁଷିଆ ପ୍ରକୃତରେ ଜଳବାୟୁ ପରିବର୍ତ୍ତନ ରୋକିବାରେ କିଛି କରୁନାହାନ୍ତି। ଶିଳ୍ପସଂସ୍ଥା ଗୁଡ଼ିକର ବର୍ଜ୍ୟବସ୍ତୁ ଏବଂ ଆବର୍ଜନା ନଷ୍ଟ କରିବାକୁ ପଦକ୍ଷେପ ନନେଇ ଏସବୁକୁ ସମୁଦ୍ରରେ ଫୋପାଡ଼ି ଦେଉଛନ୍ତି। ଯାହାଫଳରେ ଏହି ବର୍ଜ୍ୟବସ୍ତୁ ଲସଏଞ୍ଜେଲ୍ସଠାରେ ସମୁଦ୍ରରେ ଭାସୁଛି। ଟ୍ରମ୍ପ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଅତି ଜଟିଳ ବିଷୟ।

ବିଶ୍ୱରେ ନିର୍ମଳ ବାୟୁ ଓ ଜଳ ମୁ ଚାହେଁ। ଅନେକ ଦିଗରୁ ମୁ ନିଜକୁ ଜଣେ ପରିବେଶ ପ୍ରେମୀ ବୋଲି ବିଚାର କରେ। ପ୍ୟାରିସ୍ ଜଳବାୟୁ ଚୁକ୍ତି ଏକପାଖିଆ ହୋଇଥିବାରୁ ଆମେରିକା ଏଥିରୁ ଓହରି ଗଲା। କାରଣ ପ୍ୟାରିସ୍ ଜଳବାୟୁ ଚୁକ୍ତି ଯୋଗୁଁ ଆମେରିକାରେ ନିଯୁକ୍ତି ସୁଯୋଗ ନଷ୍ଟ ହେଲା। ଆମେରିକା ପାଇଁ ପ୍ୟାରିସ୍ ଜଳବାୟୁ ଚୁକ୍ତି ଥିଲା ଅତି ମାରାତ୍ମକ। ଏଥିଯୋଗୁଁ ଆମେରିକାର ଟ୍ରିଲିଅନ୍ ଟ୍ରିଲିଅନ୍ ଡଲାର ନଷ୍ଟ ହୋଇଥାନ୍ତା। ଭାରତ ସମ୍ପର୍କରେ ଉଲ୍ଲେଖ କରି ଟ୍ରମ୍ପ କହିଲେ, ଆମେ ଭାରତକୁ ବିକାଶଶୀଳ ରାଷ୍ଟ୍ର ଭାବରେ ଏ କ୍ଷେତ୍ରରେ ଆର୍ôଥକ ସହାୟତା ଦେବୁ।

ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଲେ, ଯେତେବେଳେ ମୋତେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ପ୍ରଶ୍ନ କରାଯାଏ ମୁଁ କହିଛି ଆମର ଏ କ୍ଷେତ୍ରରେ ସେଭଳି ସମସ୍ୟା ନାହିଁ। ଏବେ ଆମର ବାୟୁ ସମ୍ପୂର୍ଣ୍ଣ ନିର୍ମଳ। ଗତ ୪୦ ବର୍ଷ ଧରି ଏଭଳି ରହିଆସିଛି। ମୁଁ ଅନୁମାନ କରୁଛି ୨ ଶହ ବର୍ଷ ତଳେ ମଧ୍ୟ ଏଭଳି ନିର୍ମଳ ବାୟୁମଣ୍ଡଳ ରହିଥିଲା। ଗତ ସପ୍ତାହରେ ଆମେରିକା ୨୦୧୫ ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ଓହରିଯିବା ସମ୍ପର୍କରେ ଜାତିସଂଘକୁ ଆନୁଷ୍ଠାନିକ ଭାବେ ଜଣାଇଥିଲା। ଉଲ୍ଲେଖଯୋଗ୍ୟ ଏହି ଐତିହାସିକ ବିଶ୍ୱସ୍ତରୀୟ ଚୁକ୍ତିରେ ଭାରତ ସମେତ ୧୮୮ଟି ରାଷ୍ଟ୍ର ସାମିଲ ହୋଇଥିଲେ। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍ ଓବାମା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।