ଆମେରିକା ଅର୍ଥ ବ୍ୟବସ୍ଥା ସଜାଡ଼ିବା ପାଇଁ ଟ୍ରମ୍ପ ଭରଷା କଲେ ଛଅ ଭାରତୀୟ-ଆମେରିକୀୟଙ୍କୁ

ୱାସିଂଟନ୍,ଏଜେନ୍ସି: କରୋନା ପାଇଁ ପ୍ରଭାବିତ ହୋଇଥିବା ଆମେରିକା ଅର୍ଥ ବ୍ୟବସ୍ଥାକୁ ଠିକ୍‌ ବାଟରେ ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୬ ଜଣ ଭାରତୀୟ-ଆମେରିକୀୟଙ୍କ ଉପରେ ଆଶା ରଖିଛନ୍ତି। ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଟ୍ରମ୍ପ ଗଠନ କରିଛନ୍ତି ‘ମହାନ ଆମେରିକା ଆର୍ଥିକ ପୁନରୁଦ୍ଧାର ଉଦ୍ୟୋଗ ସମୁହ’। ତେବେ କରୋନା ପରବର୍ତୀ ଆମେରିକାର ଅର୍ଥନୀତି କିପରି ସୁଧାରି ହେବ ସେ ବାଦଦରେ ଏବେଠାରୁ ଚିନ୍ତା କରୁଛି ଟ୍ରମ୍ପ ପ୍ରଶାସନ। ସେଥିପାଇଁ ବଛାଯାଇଛି ୨ ଶହ ଆମେରିକୀୟଙ୍କୁ। ସେମାନେ ସମସ୍ତେ ହେଉଛନ୍ତି ବିଭିନ୍ନ ଶିଳ୍ପ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଟପ୍ ଲିଡ଼ର୍ସ ଏବଂ ପ୍ରଫେସନାଲ୍ସ।

ଯୋଜନା ଅନୁସାରେ ଟ୍ରମ୍ପ୍ ସେମାନଙ୍କୁ ନେଇ ଗଠନ କରିବେ ମୋଟ ୧୮ ଟି ଗ୍ରୁପ୍ । ସେହି ଗ୍ରୁପ୍ ପରାମର୍ଶ ଦେବେ କରୋନା ପରବର୍ତୀ ଆମେରିକାର ଅର୍ଥନୀତିକୁ ସୁଧାରିବା ପାଇଁ କେଉଁ କ୍ଷେତ୍ରରେ କ’ଣ କରାଯିବା ଉଚିତ ସେହି ଅନୁସାରେ ପଦେକ୍ଷେପ ନେବ ଟ୍ରମ୍ପ୍। ତେବେ ସବୁଠାରୁ ବଡ଼ କଥା ହେଲା ସେହି ତାଲିକାର ପ୍ରମୁଖ ସ୍ଥାନ ଦିଆ ଯାଇଛି ୬ ଜଣ ଭାରତୀୟଙ୍କୁ। ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଟ୍ରମ୍ପ ଗଠନ କରିଥିବା ‘ମହାନ ଆମେରିକା ଆର୍ଥିକ ପୁନରୁଦ୍ଧାର ଉଦ୍ୟୋଗ ସମୁହ’ରେ ୬ ଜଣ ଭାରତୀୟ ସ୍ଥାନ ପାଇଛନ୍ତି ।

ଗୁଗୁଲର ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟର ସତ୍ୟ ନାଡ଼େଲା, ଆଇବିଏମ୍‌ର ଅରବିନ୍ଦ କ୍ରିଷ୍ଣା, ମାଇକ୍ରନ୍‌ର ସଞ୍ଜୟ ମେହେରୋତ୍ରାଙ୍କ ଭଳି ଟେକ୍ନୋକ୍ରାଟମାନେ ଥିବାବେଳେ ପର୍ନୋଡ୍ ରିକାର୍ଡର ଆନ୍ ମୁଖାର୍ଜୀ ଏବଂ ମାଷ୍ଟର କାର୍ଡର ଅଜୟ ବାଙ୍ଗାଙ୍କ ଭଳି ବିଜିନେସ୍ ପ୍ରଫେସନାଲମାନେ ମଧ୍ୟ ସ୍ଥାନ ପାଇଛନ୍ତି ଟ୍ରମ୍ପଙ୍କ କ୍ରାଇସିସ୍ ମ୍ୟାନେଜମେଂଟ୍ ଟିମ୍‌ରେ ।

ଆମେରିକାର ବିଜ୍ଞାନ ଏବଂ ପ୍ରଯୁକ୍ତି ତଥା ବ୍ୟବସାୟିକ ସାମ୍ରାଜ୍ୟରେ ଭାରତୀୟଙ୍କର ବେଶ୍ ପ୍ରଭାବ ରହିଛି । ଏ କଥା ବି କୁହାଯାଇପାରେ ଭାରତୀୟଙ୍କୁ ଛାଡ଼ି ଆମେରିକାର ଅର୍ଥନୀତି ଆଗେଇବା କୌଣସି ପରିସ୍ଥିତିରେ ବି ସମ୍ଭବ ନୁହେଁ । ଏବେ ଭାରତୀୟ ଟେକ୍ନୋକ୍ରାଟ ଏବଂ ବିଜିନେସ୍ ପ୍ରଫେସନାଲଙ୍କୁ ଟ୍ରମ୍ପ୍ ତାଙ୍କ ଟିମ୍‌ରେ ସ୍ଥାନ ଦେଇ ପୁଣି ଭାରତୀୟଙ୍କ ଗୁରୁତ୍ୱ ବଢ଼େଇଛନ୍ତି ।