ପ୍ରଥମ ଥର ପାଇଁ ସର୍ବସାଧାରଣରେ ମାସ୍କ ପିନ୍ଧିଲେ ଟ୍ରମ୍ପ

ୱାଶିଂଟନ୍, ଏଜେନ୍ସି : ଆମେରିକା କରୋନା ଭୂତାଣୁ ଦ୍ୱାରା ବିଶ୍ୱରେ ସର୍ବାଧିକ ପ୍ରଭାବିତ ହୋଇଥିଲା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଧାରଣରେ ମାସ୍କ ପରିଧାନ କରିବାକୁ ପସନ୍ଦ କରୁନଥିଲେ। ମାତ୍ର ଗତ ଶନିବାର ସେ ଏକ ସାମରିକ ହସ୍ପିଟାଲ ପରିଦର୍ଶନ କରିବା ସମୟରେ ଫେସ୍ ମାସ୍କ ପିନ୍ଧିବା ଦେଖାଯାଇଥିଲା। ସର୍ବସାଧାରଣ ସ୍ଥାନରେ ରାଷ୍ଟ୍ରପତି ଟ୍ରମ୍ପ ମାସ୍କ ପିନ୍ଧିବା ଏହା ହେଉଛି ପ୍ରଥମ ଘଟଣା। ନୋଭେଲ କରୋନା ଭାଇରସ୍ର ବିସ୍ତାର କିମ୍ବା ଆକ୍ରାନ୍ତ ନ ହେବାକୁ ସତର୍କତାମୂଳକ ପଦକ୍ଷେପ ଭାବେ ସ୍ୱାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ଏହି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ସେନାବାହିନୀର ଆହତ ସୈନିକମାନଙ୍କୁ ଏବଂ କୋଭିଡ୍-୧୯ ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ଭେଟିବାକୁ ଟ୍ରମ୍ପ ହେଲିକପ୍ଟର ଯୋଗେ ୱାଶିଂଟନ୍ ଉପନଗରୀରେ ଅବସ୍ଥିତ ୱାଲ୍ଟର ରିଡ୍ ନ୍ୟାସନାଲ ମିଲିଟାରି ମେଡିକାଲ ସେଣ୍ଟରକୁ ଯାଇଥିଲେ।

ହ୍ୱାଇଟ୍ ହାଉସରୁ ବାହାରିଲା ବେଳେ ସେ ସାମ୍ବାଦିକମାନଙ୍କୁ କହିଥିଲେ, ମୋ ମତରେ ଡାକ୍ତରଖାନାରେ ଥିବା ବେଳେ ମାସ୍କ ପିନ୍ଧିବା ଜରୁରୀ। ସେ ହେଲିକପ୍ଟରରୁ ଓହ୍ଲାଇ ୱାଲ୍ଟର ରିଡ୍ ଡାକ୍ତରଖାନାକୁ ଯିବା ପର୍ଯ୍ୟନ୍ତ ମାସ୍କ ପିନ୍ଧିନଥିଲେ। କିନ୍ତୁ, ୱାଲଟର ରିଡର ହଲ୍ ମଧ୍ୟରେ ମାସ୍କ ପିନ୍ଧିଥିଲେ। ମହାମାରୀ ବ୍ୟାପିବାର ବହୁ ବିଳମ୍ବରେ ରାଷ୍ଟ୍ରପତି ଟ୍ରମ୍ପ ଫେସ୍ ମାସ୍କ ପିନ୍ଧିଛନ୍ତି। ଗତ ମାର୍ଚ୍ଚ ମାସରୁ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ୍ ବ୍ୟାପିବା ଯୋଗୁଁ ୩.୨ ନିୟୁତ ଲୋକ ଏଥିରେ ଆକ୍ରାନ୍ତ ହୋଇଥିଲା ବେଳେ ଅନ୍ୟୁନ ୧୩୪୦୦୦ଙ୍କ ପ୍ରାଣହାନୀ ଘଟିଛି।