ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାସ୍

ୱାଶିଂଟନ୍,ଏଜେନ୍ସି: ଆମେରିକାରେ ୨୩୧ ବର୍ଷର ଗଣତାନ୍ତ୍ରିକ ଇତିହାସରେ ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତିଙ୍କୁ ୨ ଥର ମହାଭିଯୋଗର ସମ୍ମୁଖୀନ ହେବାକୁ ପଡିଛି। ଆମେରିକା କଂଗ୍ରେସର ନିମ୍ନ ସଦନ ହାଉସ୍ ଅଫ୍ ରିପ୍ରେଜେଣ୍ଟଟେଟିଭ୍ (ଏଚଓଆର)ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି।
ଟ୍ରମ୍ପଙ୍କ ବିପକ୍ଷରେ ୨୩୨ ଭୋଟ ପଡିଥିଲା ବେଳେ ସପକ୍ଷରେ ମାତ୍ର ୧୯୭ ଭୋଟ୍ ମିଳିଛି। ମହାଭିଯୋଗ ପ୍ରସ୍ତାବ ପାସ୍ ଲାଗି ୨୧୮ ଭୋଟ୍ ଆବଶ୍ୟକ ପଡୁଥିଲା। ଏଥିପୂର୍ବରୁ ୨୦୧୯ରେ ଟ୍ରମ୍ପଙ୍କ ବିରୋଧରେ ପ୍ରଥମେ ମହାଭିଯୋଗ ଆସିଥିଲା।
ମହାଭିଯୋଗ ପ୍ରସ୍ତାବ ଉପରେ ମତଦାନରେ ଟ୍ରମ୍ପଙ୍କ ଦଳ ରିପବ୍ଲିକାନର ୧୦ ସଦସ୍ୟ ଟ୍ରମ୍ପଙ୍କ ବିରୋଧରେ ଭୋଟ ଦେଇଥିବା ଜଣାପଡିଛି। ଏବେ ସିନେଟ୍ରେ ମହାଭିଯୋଗ ପ୍ରସ୍ତାବ ଉପରେ ଫୈସଲା ହେବ। ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟକାଳ ଆଉ ମାତ୍ର ୫ ଦିନ ବାକି ଅଛି। ଗତ ୬ ତାରିଖରେ ଆମେରିକାର ୱାଶିଂଟନ ଡିସି ସ୍ଥିତ ସଂସଦ ଭବନ କ୍ୟାପିଟଲରେ ଜୋ ବାଇଡେନ୍ଙ୍କ ବିଜୟକୁ ଚୂଡାନ୍ତ ଅନୁମୋଦନ କରିବା ଲାଗି କଂଗ୍ରେସର ଅଧିବେଶନ ଅନୁଷ୍ଠିତ ହେଉଥିଲା ବେଳେ ଟ୍ରମ୍ପଙ୍କ ସମର୍ଥକମାନେ ସେଠାରେ ହିଂସାକାଣ୍ଡ ସୃଷ୍ଟି କରିଥିଲେ।

ଏହି ହିଂସାକାଣ୍ଡରେ ସୁରକ୍ଷା ଅଧିକାରୀଙ୍କ ସହ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ହିଂସାକାଣ୍ଡ ସୃଷ୍ଟି କରିବା ଅଭିଯୋଗରେ ଟ୍ରମ୍ପଙ୍କୁ ବହିଷ୍କାର କରିବା ନିମନ୍ତେ ଆଗତ ମହାଭିଯୋଗ ପ୍ରସ୍ତାବ ଉପରେ ଗତ ବୁଧବାର ମତଦାନ ହୋଇଥିଲା। ଡେମୋକ୍ରାଟଙ୍କ ପକ୍ଷରୁ ଆଗତ ଏହି ମହାଭିଯୋଗ ପ୍ରସ୍ତାବକୁ ରିପବ୍ଲିକାନ୍ ପାର୍ଟିର ୧୦ ସାଂସଦ ମଧ୍ୟ ସମର୍ଥନ କରିଥିଲେ। ଫଳରେ କଂଗ୍ରେସର ନିମ୍ନ ସଦନରେ ଏହି ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଛି। ଏବେ ଉଚ୍ଚସଦନ ସିନେଟରେ ଏହି ପ୍ରସ୍ତାବ ଉପରେ ବିଚାର ହେବ। ସିନେଟରେ ଏହି ପ୍ରସ୍ତାବ ପାସ୍ ହେବା ପାଇଁ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ। ଯଦି ସିନେଟ୍ର ସମସ୍ତ ୧୦୦ ଜଣ ସଦସ୍ୟ ଉପସ୍ଥିତ ରୁହନ୍ତି ତାହାହେଲେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଡେମୋକ୍ରାଟ୍ସଙ୍କ ସହ ଅନ୍ୟୁନ ୧୭ ରିପବ୍ଲିକାନ୍ ସଦସ୍ୟଙ୍କୁ ହାତ ମିଳାଇବାକୁ ପଡିବ। ସିନେଟ୍ରେ ତୁରନ୍ତ ମହାଭିଯୋଗ ପ୍ରସ୍ତାବ ଉପରେ ଆଲୋଚନା କରାଯିବା ଲାଗି ଡେମୋକ୍ରାଟମାନଙ୍କ ଦାବିକୁ ସିନେଟ୍ରେ ରିପବ୍ଲିକାନ ପାର୍ଟି ନେତା ମିଚ୍ ମ୍ୟାକ୍ କର୍ଣ୍ଣେଲ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଏବେ ସିନେଟ ଅଧିବେଶନର ବିରତି ଥିବାରୁ ଆସନ୍ତା ୧୯ ପରେ ଏହାର ଅଧିବେଶନ ବସିବ। ତେଣୁ ଏହା ପୂର୍ବରୁ ସିନେଟରେ ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟିଂ ସମ୍ଭବ ହେବନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଟ୍ରମ୍ପ କ୍ଷମତାରୁ ଚାଲିଯିବା ପରେ ମଧ୍ୟ ସିନେଟ୍ ମହାଭିଯୋଗର ବିଚାର କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିପାରେ। ଏହା ହେଲେ ଟ୍ରମ୍ପ ଭବିଷ୍ୟତରେ ଆଉ ରାଷ୍ଟ୍ରପତି ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ମାତ୍ର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରାର୍ଥୀ ହେବାକୁ ଆଶାୟୀ ଥିବାରୁ ସିନେଟ୍ର ବିଚାର ତାଙ୍କ ପାଇଁ ବାଧକ ସାଜିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।