କାରକୁ ଧକ୍କା ଦେଇ ଓଲଟିଲା ମାଛ ବୋଝେଇ ମିନି ଟ୍ରକ୍

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ଆଜି ଏକ ମାଛ ବୋଝେଇ ମିନି ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରକଟି ଏକ କାରରୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଛି। ଫଳରେ ରାସ୍ତା ସାରା ମାଛ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଏହି ଦୁର୍ଘଟଣାରେ ମିନି ଟ୍ରକ୍ ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଗତ ରାତିରେ ଏକ ମାଛ ବୋଝେଇ ମିନି ଟ୍ରକ ନୟାଗଡ଼ରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା। ଓଡ଼ଗାଁ ରଘୁନାଥଜୀଉ ମହାବିଦ୍ୟାଳୟ ସମ୍ମୁଖରେ ଏକ କାର୍‌ ସହ ମିନି ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ମାଛ ଗାଡିଟି ଓଲଟି ପଡି ସାରା ରାସ୍ତା ମାଛମୟ ହୋଇଯାଇଥିଲା। ତେବେ ଘଟଣାସ୍ଥଳରେ ଓଡ଼ଗାଁ ପୁଲିସ ପହଞ୍ଚି ରାସ୍ତାରୁ ମାଛ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରିଥିବା ସୂଚନା ମିଳିଛି।