କୋରାପୁଟ,ଏନ୍ଏନ୍ଏସ୍: ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଟ୍ରକ୍ ଡ୍ରାଇଭର ଗୋପାଳ ରାମ(୪୪) ହାଜତରେ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଘଟଣାକୁ କେନ୍ଦ୍ର କରି ଡିସିଓ ଓ ସେଂଟ୍ରିଙ୍କୁ ନିଲମ୍ବନ କରାଯାଇଥିବାବେଳେ ଭାରପ୍ରାପ୍ତ ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ଙ୍କୁ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟକୁ ଫେରାଇ ଅଣାଯାଇଥିବା ଏସପି ମୁକେଶ କୁମାର ଭାମୁ କହିଛନ୍ତି । ଉକ୍ତ ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଲକ୍ଷ୍ମୀପୁର ଏସଡିପିଓ ଅଶ୍ୱିନୀ କୁମାର ନାୟକଙ୍କୁ ଦିଆଯାଇଥିବା ଏସପି ସୂଚନା ଦେଇଛନ୍ତି। ଏଥିସହିତ ତଦନ୍ତକୁ ସ୍ୱଚ୍ଛ, ନିରପେକ୍ଷ କରିବା ପାଇଁ ଭାରପ୍ରାପ୍ତ ଥାନାଧିକାରୀଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ନିଆଯାଇଛିି। ତଦନ୍ତ ଶେଷ ହେବାଯାଏ ଇନ୍ସପେକ୍ଟର ଆର୍ ଏନ୍ ମାଝୀ ଜୟପୁର ସଦର ଥାନା ଦାୟିତ୍ୱ ତୁଲାଇବେ ବୋଲି ଏସପି କହିଛନ୍ତି।
ସୂଚନାଯୋଗ୍ୟ, ୨୯ ତାରିଖ ସଂନ୍ଧ୍ୟାରେ ସଦର ଥାନା ସବଇନ୍ସପେକ୍ଟର ଏସ୍.ପଣ୍ଡା ଓ ଅନ୍ୟମାନେ ଜୟପୁର-ନବରଙ୍ଗପୁର ୨୬ ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଉମୁରି ନିକଟରେ ପୁଲିସକୁ ଦେଖି ଗୋପାଳ ରାମ୍ ଟ୍ରକକୁ (ଆରଜେ-୨୧-ଜିଏ ୩୯୫୯)ରାସ୍ତାକଡ଼ରେ ଛାଡ଼ିି ଦୌଡୁଥିବାବେଳେ ପୁଲିସ୍ କାବୁ କରି ନେଇଥିଲା। ଟ୍ରକରୁ ୮୦୫ କିଲୋ ୮୦୦ ଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ରାମ ଗୋପାଳକୁ ଗିରଫ କରିଥିଲା। ଅଧିକ ପଚରାଉଚୁରା ପାଇଁ ହାଜତରେ ରଖା ଯାଇଥିବାବେଳେ ରାମ ଗୋପାଳ ସେହି ରାତିରେ ବେଡସିଟ୍ ବେକରେ ଲଗାଇ ହାଜତ ଭିତରେ ଆତ୍ମହତ୍ୟା କରିଥିଲେ। ମୃତ ଟ୍ରକ୍ ଡ୍ରାଇଭର ରାମ ଗୋପାଳର ଘର ରାଜସ୍ଥାନର ନାଗୌର୍ ଜିଲ୍ଲା କାଥୋଟି ନଗର ମାଲିଓଂକାରେ ବୋଲି ଜଣାପଡ଼ିଛି।