ଲପଡ଼ାରେ ଟ୍ରିପଲ୍ ମର୍ଡ଼ର: ମହିଳା ଓ ଝିଅ, ଜ୍ୱାଇଁଙ୍କୁ ହତ୍ୟା

ସମ୍ବଲପୁର,ଏନ୍‌ଏନ୍‌ଏସ୍: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ମହୁଲପାଲି ଥାନା ଅନ୍ତର୍ଗତ ଲପଡ଼ା ଗ୍ରାମରେ ବୁଧବାର ଅପରାହ୍ନରେ ଟ୍ରିପଲ୍ ମର୍ଡର୍ ହୋଇଛି । ଜଣେ ମହିଳା ଓ ତାଙ୍କ ଝିଅ, ଜ୍ୱାଇଁଙ୍କୁ ପଡ଼ୋଶୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ବେଳେ ପୁଲିସ ଅଭିଯୁକ୍ତ ପଡ଼ୋଶୀ ଓ ତାଙ୍କ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି । ଜମିବାଡ଼ି ବିବାଦରୁ ଅଭିଯୁକ୍ତ ଏହି କାଣ୍ଡ ଭିଆଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଖବରରୁ ପ୍ରକାଶ ଯେ, ଲପଡ଼ା ଗ୍ରାମର ପୀରବତୀ ବେହେରା (୫୫)ଙ୍କ ଏକମାତ୍ର ଝିଅ ସାବିତ୍ରୀ (୩୦) ଝାର୍‌ସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ଗ୍ରାମର ଗିରିଧାରୀ ସାହୁ ୩୫ ଙ୍କୁ ବିବାହ କରିଥିଲେ । ପୁଅ ନ ଥିବାରୁ ଝିଅ -ଜ୍ୱାଇଁ ପୀରବତୀଙ୍କ ପାଖରେ ରହୁଥିଲେ । ଏଣେ ପଡ଼ୋଶୀ ନବୀନ ଦେହୁରୀ (୫୦)ଙ୍କ ଆଖି ପୀରବତୀଙ୍କ ଜମି ଉପରେ ରହିଥିଲା। ମାମଲା କୋର୍ଟକୁ ମଧ୍ୟ ଯାଇଥିଲା । ବୁଧବାର ପୀରବତୀ ଓ ତାଙ୍କ ଝିଅ, ଜ୍ୱାଇଁ ଧାନ କାଟି ଆଣି ଘର ପଛପଟ ଜମିରେ ରଖୁଥିଲେ । ଅପରାହ୍ନ ପ୍ରାୟ ସାଢ଼େ ୩ ଟା ସମୟରେ ଘର ପଛପଟ ଜମିରେ ଏକୁଟିଆ ଥିବା ବେଳେ ନବୀନ ସେଠାରେ ପହଞ୍ଚି ଧରିଥିବା ଟାଙ୍ଗିଆରେ ଗିରିଧାରୀଙ୍କୁ ହାଣି ପକାଇଥିଲେ ।

ସାବିତ୍ରୀ ଗାଁ ଦାଣ୍ଡରେ ଥିବା ନଳକୂଅକୁ ପାଣି ପିଇବାକୁ ଯାଇଥିବା ବେଳେ ସେ ମଧ୍ୟ ନବୀନଙ୍କ ଶିକାର ହୋଇଥିଲେ । ପଛରେ ଦୌଡ଼ି ଆସୁଥିବା ପୀରବତୀଙ୍କୁ ମଧ୍ୟ ନବୀନ ହାଣି ପକାଇଥିଲେ । ସ୍ପଷ୍ଟ ଦିବାଲୋକରେ ଗାଁ ଦାଣ୍ଡରେ ଅଳ୍ପ ଲୋକଙ୍କ ଉପସ୍ଥିତିରେ ନବୀନ ଏହି କାଣ୍ଡ ଭିଆଇ କେଉଁଆଡ଼େ ଫେରାର ହୋଇଯାଇଥିଲେ । ଖବର ପାଇ କୁଚିଣ୍ଡା ଏସ୍‌ଡ଼ିପିଓ ରାଜକିଶୋର ମିଶ୍ର ଓ ମହୁଲପାଲି ଥାନା ଆଇଆଇସି ଜ୍ୟୋତ୍ସ୍ନା ବେହେରା ସଦଳବଳେ ଲପଡ଼ା ପହଂଚି ନବୀନ ଓ ତାଙ୍କ ହେମାନନ୍ଦ ଓରଫ୍ ମଂଟୁ ୩୦ ଙ୍କୁ ହେପାଜତ୍‌କୁ ନେବା ସହ ତିନୋଟି ଯାକ ଶବ ଜବତ କରି ତଦନ୍ତ ଚଳାଇଛନ୍ତି ।