ଡାହାଣୀ ସନ୍ଦେହ ଟ୍ରିପଲ ମର୍ଡର ଘଟଣା, ୨ ଜଣଙ୍କୁ ଆଜୀବନ ଜେଲ୍

ବାରିପଦା,ଏନ୍ଏନ୍ଏସ୍: ଆଜି ବହୁ ଚର୍ଚ୍ଚିତ ବାଦାମପାହାଡ଼ ଥାନା ଅନ୍ତର୍ଗତ ଝିପାବନ୍ଧ ଗ୍ରାମରେ ଡ଼ାହାଣୀ ସନ୍ଦେହ ମା ଓ ତାଙ୍କର ୨ ନାବାଳକ ପୁଅକୁ ଅତି ନୃଶଂସ ଭାବେ ହତ୍ୟା ମାମଲାର ବିଚାର କରି ରାଇରଙ୍ଗପୁର ଜିଲ୍ଲା ଓ ଦୌରାଜଜ୍ ଅନୂପ ରଞ୍ଜନ ପଟ୍ଟନାୟକ ଝିପାବନ୍ଧ ଗ୍ରାମର ଅର୍ଜୁନ ସିଙ୍କୁ(୨୭) ଓ ଗୁରୁଚରଣ କାରୁଆ(୨୨)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହ ଭାରତୀୟ ପିଙ୍ଗଳ କୋଡ ଧାରା ୩୦୨ ଓ ୩୪ ଅନୁସାରେ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି।

ସୂଚନାରୁ ଜଣାପଡ଼ିଛି, ୨୦୧୭ ମସିହା ଜୁଲାଇ ୧୮ ଝିପାବନ୍ଧ ଗ୍ରାମର ମଧୁସୂଦନ ସିଙ୍କୁଙ୍କ ସ୍ତ୍ରୀ ରିଙ୍କୁ ସିଙ୍କୁ(୩୫) ନିଜର ବଡ଼ ପୁଅ ଜଗନ୍ନାଥ ସିଙ୍କୁ(୧୦) ଓ ସାନ ପୁଅ ଯଶୋବନ୍ତ ସିଙ୍କୁ(୩)ଙ୍କୁ ସାଥିରେ ଧରି ଶାଶୂ ଘର ଝିପାବନ୍ଧ ଗ୍ରାମରୁ ଜଙ୍ଗଲ ରାସ୍ତା ଦେଇ ବାପ ଘର ରାଇପଡ଼ା ଗ୍ରାମକୁ ଯିବା ନିମନ୍ତେ ଘରୁ ବାହାରି ଆସି ଘରକୁ ଫେରି ନଥିଲେ। ଏହି ସମୟରେ ଝିପାବନ୍ଧ ଗ୍ରାମର ଅର୍ଜୁନ ସିଙ୍କୁ ଓ ଗୁରୁଚରଣ କାରୁଆ ରିଙ୍କୁ ସିଙ୍କୁଙ୍କୁ ପିଛା କରିଥିଲେ ଏବଂ ଜଙ୍ଗଲ ରାସ୍ତାରେ ସୁଯୋଗ ଦେଖି ଏକ ଧାରୁଆ ଛୁରିରେ ରିଙ୍କୁ ସିଙ୍କୁ ସହ ତାର ଦୁଇ ନାବାଳକ ପୁତ୍ରକୁ ଅମାନବୀୟ ଭାବେ ହତ୍ୟାକରି ଜଙ୍ଗଲ ଭିତରେ ଫିଙ୍ଗିଦେଇ ଆସିଥିଲେ। ଏଣେ ତିନି ଦିନ ଧରି ସ୍ତ୍ରୀ ଓ ପିଲାମାନେ ଘରକୁ ନଫେରିବାରୁ ମଧୁସୂଦନ ଗ୍ରାମର ଲୋକମାନଙ୍କ ସହ ଖୋଜାଖୋଜି କରିବା ସମୟରେ ଝିପାବନ୍ଧ ଗ୍ରାମ ନିକଟ ଜଙ୍ଗଲ ଭିତରେ ଏକ ବୁଦା ମୂଳରେ ସ୍ତ୍ରୀ ରିଙ୍କୁର ଶବ ଓ କିଛି ଦୂରରେ ପୁଅ ଜଗନ୍ନାଥ ଓ ଯଶୋବନ୍ତର ଶବ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବାର ଦେଖି ବାଦାମପାହାଡ଼ ଥାନାକୁ ଖବର ଦେଇଥିଲେ।

ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇବା ସହ ଥାନାରେ ୨୨/୨୦୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହି ସମୟରେ ମଧୁସୂଦନ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ହତ୍ୟା କରାଯିବା ପଛରେ ଗ୍ରାମର ଅର୍ଜୁନ ସିଙ୍କୁ ଓ ଗୁରୁଚରଣ କାରୁଆଙ୍କ ହାତ ଥିବା ସନ୍ଦେହ କରିଥିଲେ। ଏମାନେ ଡାହାଣୀ ସନ୍ଦେହରେ ବିଭିନ୍ନ ସମୟରେ ରିଙ୍କୁଙ୍କୁ ହଇରାଣ ହରକତ କରିବା ସହ ଝଗଡ଼ା କରୁଥିବା ନେଇ ବାଦାପାହାଡ଼ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଅଭିଯୁକ୍ତ ଦୁଇ ଜଣଙ୍କୁ ନେଇ ଥାନାରେ ପଚରାଉଚରା କରିବା ପରେ ସେମାନେ ନିଜର ଅପରାଧକୁ ସ୍ୱୀକାର କରିଥିଲେ।

ଆଜି ଉକ୍ତ ମାମଲାରେ ଥିବା ୧୭ ଜଣ ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତାଙ୍କର ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ମୋକଦ୍ଦମାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରିଥିଲେ।