ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି ତ୍ରିଦେବ ନଗରବାସୀ

ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ୩ ଦିନ ଧରି ଲଗାଣ ବର୍ଷା ସହରର ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଅନେକ ତଳିଆ ଅଞ୍ଚଳରେ ପାଣି ପଶିବା ସହ କଚ୍ଚା ଘର ଭାଙ୍ଗିଯାଇଛି । ନାରାୟଣୀ ମନ୍ଦିର ନିକଟ ପାହାଡ଼ ଉପରେ ଥିବା ତ୍ରିଦେବ ନଗରବାସୀଙ୍କୁ ଜିଲ୍ଲା ସଂସ୍କୃତି ଭବନ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି । ଏହି ସ୍ଥାନରେ ଗତ ଦିନରେ ଭୂସ୍ଖଳନ ଯୋଗୁ କାନ୍ଥ ପଡ଼ିଯାଇ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ତେଣୁ ସତର୍କତାମୂଳକ ପଦକ୍ଷେପ ଭାବେ ଏହି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଏହି ଶିବିରରେ ୯୨ଜଣ ଆଶ୍ରୟ ନେଇଥିବାବେଳେ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ନେଇ ପୌର ନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି । ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଅସ୍ଥାୟୀ ଶିବିର ପରିଦର୍ଶନ କରି ଶିବିରାର୍ଥୀଙ୍କ ହାଲଚାଲ ବୁଝିଛନ୍ତି ।