ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ମହାବିଦ୍ୟାଳୟରେ ଏକଦା ପାଠ ପଢ଼ୁଥିବା ପୂର୍ବତନ ଛାତ୍ର ପ୍ରଶାନ୍ତ ପୁଲିସ ଚାକିରିରେ ଯୋଗଦେବା ପରେ ୨୦୧୧ ମସିହାରେ ଉମରକୋଟରେ କାର୍ଯ୍ୟରତ ଥିବା ସମୟରେ ଦୁର୍ବୁତ୍ତଙ୍କ ଗୁଳି ମାଡ଼ର ଶିକାର ହୋଇ ସହିଦ ହୋଇଥିଲେ । ରାଜ୍ୟ ପୁଲିସର ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପୁଲିସ ଆନୁକୂଲ୍ୟରେ ପ୍ରଶାନ୍ତ ପଢ଼ୁଥିବା ସ୍କୁଲ ଓ କଲେଜରେ ଶ୍ରଦ୍ଧାଞ୍ଜଳି ଦେବା ନିଷ୍ପତ୍ତି ଅନ୍ତର୍ଗତ ନବରଙ୍ଗପୁର ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଦ୍ୱାରା ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଥିଲା । ଏହି ଅବସରରେ କଲେଜ ଅଧ୍ୟକ୍ଷ ଡ଼ା. ଭାସ୍କର ନାଥ ବିଶ୍ୱାଳ ସଭାପତିତ୍ୱ କରି ସହିଦ ପ୍ରଶାନ୍ତ କୁମାର ପାତ୍ରଙ୍କର ସ୍ମୃତିଚାରଣ କରିବା ସହ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ବଡ଼ଙ୍କ ପଦାଙ୍କ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡା. ଚନ୍ଦ୍ର ଶେଖର ହୋତା ଯୋଗଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସଭା ପଛର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଜିଲ୍ଲା ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ସମଗ୍ର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସହିଦ ପ୍ରଶାନ୍ତଙ୍କ କଲେଜ ଜୀବନର ଅନେକ ଘଟଣାକୁ ମନେ ପକାଇ ସମୟ କେମିତି ଜୀବନର ଗତିପଥ ବଦଳାଇବାରେ ସକ୍ରିୟ ଭୂମିକା ନେଇପାରେ ସେସମ୍ପର୍କରେ ଆଲୋକପାତ କରିଥିଲେ । ସଭାର ଅନ୍ୟତମ ଅତିଥିଭାବେ ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ଆଇଆଇସି ନରେଶ କୁମାର ପ୍ରଧାନ, ମୋ କଲେଜ ସଂଯୋଜକ ଅଧ୍ୟାପକ ମନୋଜ କୁମାର ପଟ୍ଟନାୟକ, ଆଲୁମିନି ସଂଘ ସମ୍ପାଦିକା ତଥା ଇତିହାସ ବିଭାଗ ମୁଖ୍ୟ ସଙ୍ଗୀତା ତ୍ରିପାଠୀ ଓ ବାଣିଜ୍ୟ ବିଭାଗ ଅଧ୍ୟାପକ ମନୋଜ କୁମାର କଂସ ପ୍ରମୁଖ ଯୋଗ ଦେଇଥିଲେ । ସହିଦ ପ୍ରଶାନ୍ତଙ୍କ ଫଟୋକୁ ଆଗାମୀ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବରେ କଲେଜ ପାଇଁ ଗୌରବ ଆଣିଥିବା ଦିବଙ୍ଗତ ବ୍ୟକ୍ତି ବିଶେଷଙ୍କୁ ନେଇ ହେବାକୁ ଥିବା “ଗ୍ୟାଲେରୀ ଅଫ ଗ୍ରେଟସ’ରେ ସ୍ଥାନିତ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନଏସଏସ, ଯୁବ ରେଡକ୍ରସ ଓ ସମସ୍ତ ସ୍ୱେଛାସେବୀଙ୍କ ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ପୂର୍ବତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।