ଚେନ୍ନାଇ,ଏଜେନ୍ସି: ତାମିଲନାଡୁର ନୀଳଗିରି ଜିଲ୍ଲା ଅନ୍ତର୍ଗତ କୁନ୍ନୁରଠାରେ ବୁଧବାର ଭାରତୀୟ ବାୟୁସେନାର ଏକ ଏମ୍ଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଦେଶର ପ୍ରଥମ ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ଜେନେରାଲ ବିପିନ ରାୱତ୍ଙ୍କ ସମେତ ୧୩ ଜଣ ପ୍ରାଣ ହରାଇଛନ୍ତି। ଅପରପକ୍ଷରେ ଉକ୍ତ ହେଲିକପ୍ଟରରେ ଯାତ୍ରା କରୁଥିବା ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଗୁରୁତର ପୋଡିଯାଇଥିବାରୁ ତାଙ୍କୁ କୋଏମ୍ବାଟୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ରାୱତ୍ଙ୍କ ଧର୍ମପତ୍ନୀ ମଧୁଲିକା ରାୱତ୍, ପ୍ରତିରକ୍ଷା ସହକାରୀ ବ୍ରିଗେଡିୟର ଏଲ.ଏସ୍.ଲିଡର ଓ ଷ୍ଟାଫ୍ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହ ଅନ୍ତର୍ଭୁକ୍ତ। ତାମିଲନାଡୁର ୱେଲିଙ୍ଗ୍ଟନ୍ସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ଆୟୋଜିିତ ହେବାକୁ ଥିବା ଏକ ଉତ୍ସବରେ ଯୋଗଦେବାକୁ ପତ୍ନୀ ଓ ଅନ୍ୟ ସାମରିକ ଅଧିକାରୀଙ୍କ ସହ ରାୱତ୍ ହେଲିକପ୍ଟର ଯୋଗେ ଯାତ୍ରା କରୁଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି ବୋଲି ବାୟୁସେନା ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି।
ସିଡିଏସ୍ ରାୱତ୍ଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ.ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ତିନି ବାହିନୀର ମୁଖ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ବାୟୁସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣା ପରେ ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ସ୍ୱର୍ଗତ ରାୱତ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିବା ଜଣାପଡିଛି।
ବୁଧବାର ସକାଳ ୯.୩୦ରେ ସିଡିଏସ୍ ରାୱତ୍, ପତ୍ନୀ ମଧୁଲିକା ଓ ଅନ୍ୟ ୧୨ ଜଣଙ୍କୁ ନେଇ ରୁଷ ନିର୍ମିତ ଏହି ହେଲିକପ୍ଟରଟି ନୂଆଦିଲ୍ଲୀରୁ ତାମିଲନାଡୁର ସୁଲୁର ବାୟୁସେନା ଘାଟିରେ ଅବତରଣ କରିଥିଲା। ସେଠାରୁ ୱେଲିଙ୍ଗ୍ଟନ ଯାତ୍ରାରମ୍ଭ କରିବାର କିଛି ସମୟ ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇଛି। ମଧ୍ୟାହ୍ଣ ୧୨.୩୦ରେ ଏଟିସି (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ) ସହ ହେଲିକପ୍ଟରର ସମ୍ପର୍କ ଛିନ୍ନ ହୋଇଥିଲା। ଦୁର୍ଘଟଣା ସମୟରେ ହେଲିକପ୍ଟରଟି ଗନ୍ତବ୍ୟସ୍ଥଳରୁ ମାତ୍ର ୧୦ ମିନିଟ ଦୂରତାରେ ଥିଲା ବୋଲି କୁହାଯାଇଛି। ଜଙ୍ଗଲ ମଧ୍ୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସୂଚନା ମିଳିବାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ। ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଯିବାରୁ ଅଧିକାଂଶ ମୃତଦେହ ପୋଡିଯାଇଛି। ଡିଏନ୍ଏ ଜରିଆରେ ଏଗୁଡିକୁ ଚିହ୍ନଟ କରାଯିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।