ଅଟୋରିକ୍ସା ଚଳାଇ ପରିବାର ଚଳଉଛନ୍ତି ଆଦିବାସୀ ଯୁବତୀ

କୋରାପୁଟ,ଏନ୍ଏନ୍ଏସ୍: ବାର୍ଦ୍ଧକ୍ୟ ସମୟରେ ଭରଣ ପୋଷଣ ନିମନ୍ତେ ପ୍ରତ୍ୟେକ ପିତାମାତା ପୁଅଟିଏ ଖୋଜି ଥାଆନ୍ତି, ବାପା ମା’ଙ୍କ ଆଶା ଥାଏ ଘରେ ରୋଜଗାରିଆ ପୁଅଟିଏ ଥିଲେ ବାର୍ଦ୍ଧକ୍ୟ ବୟସରେ ସେମାନଙ୍କର ଆଉ କିଛି ଚିନ୍ତା ନାହିଁ। ପୁଅ ରୋଜଗାର କରି ପରିବାର ଚଳେଇବ, ହେଲେ ଆଜିର ପୁରୁଷ କୈନ୍ଦ୍ରୀକ ସମାଜରେ ଜଣେ ଆଦିବାସୀ ଯୁବତୀ ଅଟୋରିକ୍ସା ଚଳାଇ ପରିବାରର ଭରଣ ପୋଷଣ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି। ଏପରି ଏକ ବିରଳ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ କାମତା ଗ୍ରାମରେ।

କାମତା ଗ୍ରାମର ସୀମାଞ୍ଚଳ ଗଲରୀ ଜଣେ ଅଟୋ ଚାଳକ। ନିଜ ଅଟୋରିକ୍ସା ଚଳାଇ ସେ ପରିବାର ପ୍ରତିପୋଷଣ କରି ଆସୁଥିଲେ। ସୀମାଞ୍ଚଳଙ୍କ ପରିବାର କହିଲେ ସ୍ୱାମୀ ସ୍ତ୍ରୀ ସହ ଦୁଇ ଝିଅ ଓ ଗୋଟିଏ ପୁଅ। କିଛି ଦିନ ହେଲା ସୀମାଞ୍ଚଳଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଆଉ ପୂର୍ବ ପରି ଅଟୋରିକ୍ସା ଚଳାଇ ରୋଜଗାର କରିପାରୁନାହାନ୍ତି। ତେଣୁ ରୋଗାଗ୍ରସ୍ତ ବାପାଙ୍କୁ ସାହାଯ୍ୟ କରିବା ନିମନ୍ତେ ସୀମାଞ୍ଚଳଙ୍କ ବଡ ଝିଅ ସୁଲତା ଗଲରୀ ବାପାଙ୍କ ଅଟୋ ଚଳାଇବାକୁ ଆଗେଇ ଆସିଥିଲେ।

ଦଶମ ପାସ୍ କରିବା ପରେ ଉଚ୍ଚ ଶିକ୍ଷା ଗ୍ରହଣ ନିମନ୍ତେ ଇଚ୍ଛା ଥିବା ସତ୍ୱେ ପରିବାରର ଆର୍ଥିକ ଅନାଟନ ଯୋଗୁଁ ସୁଲତା ପାଠ ପଢା ବନ୍ଦ କରି ଅଟୋରିକ୍ସା ଡ୍ରାଇଭର ବନି ଯାଆନ୍ତି। ସୁଲତା ଅଟୋ ଚଳାଇବା ପ୍ରଥମେ ବାପାଙ୍କୁ ଭଲ ଲାଗିନଥିଲା। ଏପରିକି ସୁଲତା ଅଟୋ ଚଲାଇବା ଦେଖି କେତେକ ପୁରୁଷ ଅଟୋ ଚାଳକ ସୁଲତାଙ୍କୁ ଟାହି ଟାପରା କରିଥିଲେ ମଧ୍ୟ ସେଥିପ୍ରତି ଭୃକ୍ଷେପ ନକରି ସେ ନିଜ କର୍ତ୍ତବ୍ୟ କରି ଚାଲିଥିଲେ।

ବର୍ତ୍ତମାନ ପ୍ରାୟ ବର୍ଷେ ହେବ ସୁଲତା କାମତାରୁ ବୋରିଗୁମ୍ମା ଏବଂ ବୋରିଗୁମ୍ମାରୁ କାମତାକୁ ନିୟମିତ ଭାବେ ଅଟୋରିକ୍ସା ଚଳାଇ ଆସୁଛନ୍ତି। ଏମିତିକି ସୁଲତାଙ୍କ ଉଚ୍ଚ କୋଟିର ଓ ନିରାପଦ ଅଟୋ ଚାଳନା ଯୋଗୁଁ ତାଙ୍କ ଅଟୋରେ ଯିବାକୁ ଯାତ୍ରୀ ଅପେକ୍ଷା କରି ରହିଥାଆନ୍ତି। ସୁଲତା ବର୍ତ୍ତମାନ ଜିଲ୍ଲାର ପ୍ରଥମ ମହିଳା ଅଟୋ ଚାଳକ ଭାବେ ପରିଚିତ ହୋଇଥିବାବେଳେ ଏହା ଜିଲ୍ଲାର ଅନେକ ଯୁବତୀଙ୍କ ପାଇଁ ପ୍ରେରଣା ଦାୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।