ଚନ୍ଦ୍ରପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଟୁରିଗୁଡ଼ା ଗ୍ରାମପଞ୍ଚାୟତର ହରୁଗୁଡ଼ା ଗ୍ରାମରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରାଯାଇଛି । ଉକ୍ତ ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବାରୁ ସେମାନେ ଏହି ଜଙ୍ଗଲରୁ ହିଁ ଜୀବନଯାପନ ଅତିବାହିତ କରିଥାନ୍ତି । ଘର ଉପକରଣ, ଚାଷ ଉପକରଣ, ପର୍ବପର୍ବାଣୀ ଓ ଯାନୀଯାତ୍ରାରେ କାଠପତ୍ର ଯୋଗାଇଥାଏ । ଜଙ୍ଗଲରେ ପଶିଗଲେ ଭାଇ ପରି ଭାର ଦେଇଥାଏ । ଋତୁ ଅନୁସାରେ ଖାଦ୍ୟ ଦେଇଥାଏ । ମହାମାରୀରୁ ରକ୍ଷା ପାଇଁ ଶୁଷ୍କ ଅମ୍ଳଜାନ ପବନ ଓ ରୋଗ ପାଇଁ ଚେରମୂଳି ଔଷଧ ଦେଇଥାଏ । ବୃକ୍ଷ ବିନା ମଣିଷ ବଞ୍ଚି ପାରେନା । ସେଥିପାଇଁ ବୃକ୍ଷକୁ ନିଜ ଭାଇ ବୋଲି ଭାବି ଦୀର୍ଘ ୧୦ ବର୍ଷ ହେବ ରକ୍ଷା ବନ୍ଧନ ଦିନ ଦୀପ, ଧୂପ ଓ ଫୁଲ ନେଇ ପୂଜାବିଧି କରି ରାକ୍ଷୀ ବାନ୍ଧି ଖୁସିରେ ନାଚ ଗୀତ ସହ ଭୋଜିଭାତ ଖାଇ ଘରକୁ ଫେରନ୍ତି । ଏହି ରକ୍ଷା ବନ୍ଧନରେ ଦାମୋଦର ପ୍ରାସ୍କାକା ଓ ଗ୍ରାମବାସୀ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସୁଦର୍ଶନ ସାହୁ ପରିଚାଳନା କରିଥିଲେ ।