ଟ୍ୱିଟରରେ ଟ୍ରେଣ୍ଡ କରୁଛି ‘ଲକ୍ଷ୍ମୀ ବମ୍ବ’

ମୁମ୍ବାଇ, ଏଜେନ୍ସି : ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଓ କିଆରା ଆଡଭାନୀ ଷ୍ଟାରର ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ ଟ୍ୱିଟରରେ ଟ୍ରେଣ୍ଡ କରୁଛି। ଏହା ସହ ଶୁଣିବାକୁ ମିଳୁଛି ଯେ, ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ନାହିଁ। ‘ଲକ୍ଷ୍ମୀ ବମ୍ବ’କୁ ସିନେମାଘରେ ରିଲିଜ କରାଇବାକୁ ହିଁ ଇଚ୍ଛା ପ୍ରକାଶ କରିଛନ୍ତି ନିର୍ମାତା। ଅକ୍ଷୟ ମଧ୍ୟ ଏଇଆ ଚାହୁଁଛନ୍ତି। ଏ ବର୍ଷ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଫିଲ୍ମଗୁଡ଼ିକ ମଧ୍ୟରୁ ‘ଲକ୍ଷ୍ମୀ ବମ୍ବ’ ଅନ୍ୟତମ। କରୋନା ମହାମାରୀ ଯୋଗୁଁ ସିନେମାଘରେ ତାଲା ଝୁଲୁଛି।

ତେଣୁ ଫିଲ୍ମ ରିଲିଜ ହୋଇପାରୁନି। ତେବେ ଏହାରି ମଧ୍ୟରେ ଫିଲ୍ମର ଏକାଧିକ ପୋଷ୍ଟର ରିଲିଜ ହୋଇ ପ୍ରଶଂସା ଲାଭ କରିଛି। ଏଥିରେ ଭିନ୍ନ ଅବତାରରେ ଦେଖିବାକୁ ମିଳିବେ ଅକ୍ଷୟ। ଏହା ପୂର୍ବରୁ କୁହାଯାଉଥିଲା ଯେ, ଫିଲ୍ମଟି ଅକ୍ଷୟଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର ୯ ତାରିଖରେ ଓଟିଟି ପ୍ଲାଟଫର୍ମ ଡିଜନି ହଟଷ୍ଟାରରେ ରିଲିଜ ହେବ। ମାତ୍ର ଏଯାଏଁ ଫିଲ୍ମର କୌଣସି ଟିଜର କିମ୍ବା ଟ୍ରେଲର ଆସିନାହିଁ। ହଟଷ୍ଟାର ପକ୍ଷରୁ ମଧ୍ୟ ଏ ବାବଦରେ କିଛି କୁହାଯାଇନାହିଁ। ଫିଲ୍ମଟିକୁ ଦୀପାବଳିରେ ରିଲିଜ କରାଯିବ ବୋଲି ମଧ୍ୟ ଶୁଣାଯାଉଛି। ଫିଲ୍ମର ଶେଷ ଦୃଶ୍ୟ ସୁଟିଂ ହୋଇପାରି ନାହିଁ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି। ଅକ୍ଷୟ ବର୍ତ୍ତମାନ ‘ବେଲ ବଟମ’ର ସୁଟିଂ ପାଇଁ ଲଣ୍ଡନରେ ଅଛନ୍ତି। ସେ ଫେରିଲେ ଶେଷ ଦୃଶ୍ୟ ସୁଟିଂ ହେବ ବୋଲି କୁହାଯାଉଛି।