ଗଛ ପଡ଼ି ଭାଙ୍ଗିଲା ଦୋକାନ ଘର, ଅଳ୍ପକେ ବର୍ତ୍ତିଲେ ଜନସାଧାରଣ

ବାଲେଶ୍ଵର/ଖଇରା,ଏନ୍ଏନ୍ଏସ୍: ଗତ ଦୁଇଦିନ ଧରି ହେଉଥିବା ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହେଉଥିବା ବେଳେ ଏଥିରେ ଘରର କାନ୍ଥ ଭୁଶୁଡ଼ିବା, ପାହାଡ଼ରୁ ପଥର ଖସିବା ଓ ଗଛ ଉପୁଡ଼ି ଯାଉଥିବା ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଖଇରା ବ୍ଲକ୍ ଅଧୀନ ବର୍ତ୍ତନା ବଜାରରେ ଥିବା ଏକ ପୁରାତନ ବିରାଟକାୟ ବରଗଛ ଏବଂ ଆମ୍ବଗଛ ଉପୁଡ଼ିପଡ଼ି ଏକ ଦୋକାନ ଉପରେ ପଡ଼ିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଜନସାଧାରଣ ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ପ୍ରକାଶ ଥାଉକି କିଛିଦିନ ପୂର୍ବରୁ ବର୍ତ୍ତନା ବଜାର ରାସ୍ତାଟିର କାର୍ୟ୍ୟ ଚାଲିଥିବା ସମୟରେ ନିୟୋଜିତ ଠିକାଦାରଙ୍କ ମନମୁଖୀ କାର୍ୟ୍ୟ ଯୋଗୁଁ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟିହୋଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ ରାସ୍ତା କାର୍ୟ୍ୟ ଚାଲିଥିବା ସମୟରେ ଠିକାଦାର ରାସ୍ତା କଡରେ ଥିବା ଗଛଗୁଡିକୁ ନକାଟି ଜେସିବି ସାହାଯ୍ୟରେ ଗଛମୂଳରୁ ମାଟି କାଢ଼ିନେଇଥିଲେ।ଫଳରେ ଲଗାଣ ବର୍ଷାଯୋଗୁଁ ଗଛ ଉପୁଡିପଡ଼ିବା ସହିତ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛି।ରାସ୍ତା କାର୍ୟ୍ୟ ଚାଲୁଥିବା ସମୟରେ ଯଦି ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଉକ୍ତ କାର୍ୟ୍ୟକୁ ଠିକ୍ ଭାବରେ ଅନୁଧ୍ୟାନ କରିଥାନ୍ତେ ତାହେଲେ ଏପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି ଉପୁଜିନଥାନ୍ତା ବୋଲି ବରିଷ୍ଠ ନାଗରିକମାନେ ମତବ୍ୟକ୍ତ କରିଛନ୍ତି।