ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଲା ପରିବହନ ସଂଗଠନ: ଡିସେମ୍ବର ୮ରୁ ସାମଗ୍ରୀ ଯୋଗାଣ ବନ୍ଦ ଚେତାବନୀ

ନୂଆଦିଲ୍ଲୀ,ଏଜେନ୍ସି: ସିଙ୍ଘୁ ସୀମାରେ ସରକାରଙ୍କ ବିରୋଧରେ ଆଜକୁ ୭ ଦିନ ଧରି ପ୍ରଦର୍ଶନ କରୁଥିବା ହରିଆଣା ଓ ପଞ୍ଜାବର ଚାଷୀଙ୍କୁ ଦେଶର ଚାଷୀମାନଙ୍କର ସମର୍ଥନ ମିଳିଛି। ଏହାରି ମଧ୍ୟ ପରିବହନ ସଂଗଠନ ମଧ୍ୟ ଚାଷୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି। ଦେଶର ପରିବହନ ସଂଗଠନ ଆଗାମୀ ଡିସେମ୍ବର ୮ ତାରିଖରୁ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଆହ୍ୱାନ କରିଛି।

ପରିବହନ ସଂଗଠନ କହିଛି ଯେ, ଯଦି ସରକାର ଚାଷୀଙ୍କ ଦାବି ପୂରଣ ନ କରନ୍ତି, ତା’ହେଲେ ଅଖିଳ ଭାରତୀୟ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଦିଲ୍ଲୀ-ଏନସିଆର ସମେତ ପୂରା ଦେଶରେ ଅତ୍ୟାବଶ୍ୟକ ଜିନିଷର ପରିବହନ ଓ ଯୋଗାଣକୁ ବନ୍ଦ କରିଦେବ।

ଅଲ ଇଣ୍ଡିଆ ମୋଟରସ କଂଗ୍ରେସ (ଏଆଇଏମସି) ଟ୍ରାନ୍ସପୋର୍ଟର ବଡ ସଂସ୍ଥା, ଯେଉଁଥିରେ କି ୯୫ ଲକ୍ଷ ଟ୍ରକ ଡ୍ରାଇଭର ଓ ଅନ୍ୟ ସଂସ୍ଥା ପ୍ରତିନିଧିତ୍ୱ କରିଥାଏ। ଟ୍ରାନ୍ସପୋର୍ଟ କଂଗ୍ରେସ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି କହିଛି ଯେ, ଚାଷୀ ହେଉଛି ଆମର ଅନ୍ନଦାତା। ଏମିତିରେ ଚାଷୀଙ୍କ ଦାବିକୁ ଅଣଦେଖା କରାନଯିବା ଉଚିତ। ପରିବହନ ସଂଗଠନ କହିବା ଅନୁସାରେ ଆମ ଦେଶର ଗ୍ରାମାଞ୍ଚଳରେ ପାଖାପାଖି ୭୦ ପ୍ରତିଶତ ପରିବାର ଚାଷ ଓ ଚାଷ ସହିତ କାମରେ ନିୟୋଜିତ ଅଛନ୍ତି।