ଟ୍ରଲର ଚକା ତଳେ ଚାଲିଗଲା ୩ ଜୀବନ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଫୁଲଗୁନ୍ଥା ଗ୍ରାମ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି। ଏକ ସ୍କୁଟି ଉପରେ ଟ୍ରଲର ମାଡ଼ିଯିବାରୁ ସ୍କୁଟି ଚାଳକ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଭଣ୍ଡା ଗ୍ରାମର ଟୁଟୁନ ମୁଣ୍ଡା(୪୦) ତା’ର ମାମୁଁ ସୁର ସିଂ ମୁଣ୍ଡା(୬୦) ଓ ମାମୁଁ ପୁଅ ଭାଇ ଗୁରୁ ଚରଣ ମୁଣ୍ଡା(୩୦) ସ୍କୁଟିରେ କରଞ୍ଜିଆ ହସ୍ପିଟାଲକୁ ଆସୁଥିଲେ। ଏହି ସମୟରେ ପଛପଟୁ ଏକ ଟ୍ରଲର ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ପରେ ସେମାନେ ତଳେ ପଡ଼ିଯିବା ପରେ ଟ୍ରଲରଟି ଭାରସାମ୍ୟ ହରାଇ ତାଙ୍କ ଉପରେ ଚଢ଼ି ଯାଇଥିଲା।

ଅଗ୍ନିଶମ ବିଭାଗ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ହସ୍ପିଟାଲକୁ ପଠାଇଥିଲେ। ରାସ୍ତାରେ ଗୁରୁଚରଣ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଟୁଟୁନ ମୁଣ୍ଡା ଏବଂ ସୁର ସିଂ ମୁଣ୍ଡାଙ୍କର ମୃତ୍ୟୁ ହୋଇଛି। ସେହିପରି ରରୁଆଁ ଥାନା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରଲର ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି। ସେହିପରି ମୃତକମାନଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାରର ସଦସ୍ୟମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଏଥିସହିତ ଥାନାରେ ଏକ ମାମଲା ରୁଜୁ ହୋଇଛି।