ରୋମିଓ ହେଲିକାପ୍ଟର: ଆମେରିକାରେ ତାଲିମ ଶେଷକଲେ ପ୍ରଥମ ବ୍ୟାଚ୍ କ୍ରିଉ, ଜୁନରେ ଆସିବ ୪ଟି

ନୂଆଦିଲ୍ଲୀ,ଏଜେନ୍ସି: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଲା। ଭାରତୀୟ ନୌସେନାକୁ ଖୁବଶୀଘ୍ର ମିଳିବ ପ୍ରଥମ ବ୍ୟାଚ୍ ରୋମିଓ ମଲ୍ଟିରୋଲ୍ ହେଲିକପ୍ଟର। ତେବେ ଭାରତୀୟ ନୌସେନାର ପ୍ରଥମ ଏୟାରକ୍ରିଉ MH 60R (MH 60R ‘Romeo’ aircrew) ତାଲିମ ଶେଷ କରିଛନ୍ତି। ଆଜି ଭାରତୀୟ ନୌସେନାର ଏହି ପ୍ରଥମ ବ୍ୟାଚ୍‌ର ରୋମିଓ ଏୟାରକ୍ରିଉ MH 60R(MH 60R ‘Romeo’ aircrew)ର ସମସ୍ତ ସଦସ୍ୟ ତାଲିମ ସଫଳତାର ସହ ସମାପ୍ତ କରିଛନ୍ତି। ତେବେ ଆସନ୍ତା ଜୁନରେ ପ୍ରଥମ ପର୍ଯ୍ୟାୟରେ ୪ଟି ରୋମିଓ ଭାରତକୁ ମିଳିବ ଏବଂ ବାକି ୨୦ଟି ପର୍ଯ୍ୟାୟ କ୍ରମେ ମିଳିବ ବୋଲି ସୂଚନା ରହିଛି।

ତେବେ ଆମେରିକାର ସାନ୍ ଡିଏଗୋ ସ୍ଥିତ ନାଭାଲ ଏୟାର ଷ୍ଟେସନରେ ଗତ ବର୍ଷ ଏପ୍ରିଲ ୧ତାରିଖରୁ ଏହି ଟିମ ତାଲିମ ନେଉଥିଲେ। ଏଥିସହ ୧୦ ମାସ ପରେ ଏହି ତାଲିମ ସମାପ୍ତ କରିଛନ୍ତି, ଭାରତୀୟ ନୌସେନାର ଏହି ଯୋଦ୍ଧା। ଏହି ୧୦ ମାସର ପାଠ୍ୟକ୍ରମରେ ରୂପାନ୍ତର ତାଲିମ ଏବଂ MH 60R ହେଲିକପ୍ଟରରେ ଅନ୍ୟାନ୍ୟ ଉନ୍ନତ ଯୋଗ୍ୟତା ଅନ୍ତର୍ଭୁକ୍ତ ରହିଥିବା ବେଳେ ଭାରତୀୟ ନୌସେନାର ସମସ୍ତ ଯୋଦ୍ଧା ଏହାକୁ ସଫଳତାର ସହ ସମାପ୍ତ କରିଛନ୍ତି।

ସୂଚନା ଅନୁସାରେ ଭାରତୀୟ ନୌସେନା ଆମେରିକା ଠାରୁ ଏହି ମଲ୍ଟି ରୋଲ ହେଲିକପ୍ଟର(Multi Role Helicopters-MRH) କିଣିବା ପାଇଁ ଆମେରିକା ସହ ଚକ୍ତି କରିଥିଲା। ତେବେ ପ୍ରଥମ ପର୍ଯ୍ୟାୟର ଭାରତୀୟ ନୌସେନାକୁ ଏହି ହେଲିକପ୍ଟର ଦୁଇଟି ମିଳିଥିବା ବେଳେ ନୌସେନାର ଯବାନମାନେ ସାନ ଡିଏଗୋ ସ୍ଥିତ ନାଭାଲ ଏୟାର ଷ୍ଟେସନରେ ଏହା ଦ୍ବାରା ତାଲିମ ନେଉଥିଲେ । ଏଥିସହ ଏହି ୨୪ଟି ମଲ୍ଟି ରୋଲ ହେଲିକପ୍ଟର(Multi Role Helicopters-MRH) ଭାରତ ଆମେରିକା ଠାରୁ କିଣିବାକୁ ଥିବା ବେଳେ ଭାରତକୁ ୨.୪ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ପଡିଛି।

ଅନ୍ୟପଟେ ଭାରତୀୟ ନୌସେନାରେ ଏହା ସାମିଲ ହେବା ପରେ ଦକ୍ଷିଣ ଚାଇନା ମହାସାଗରରେ ସେନା ବାହିନୀର ଦକ୍ଷତା ବୃଦ୍ଧି ପାଇବା ସହ ଚୀନକୁ ପ୍ରତିହିତ କରିବାରେ ବଡ ସଫଳତା ମିଳିବ। ତେବେ ଆମେରିକା କେବଳ ଭାରତ ଲାଗି ଏହି ସ୍ବତନ୍ତ୍ର ମଲ୍ଟି ରୋଲ ହେଲିକପ୍ଟର(Multi Role Helicopters-MRH) ତିଆରି କରିଛି।

ଏହି ହେଲିକପ୍ଟରର କ୍ଷମତା ହେଲା ଏହାକୁ ଉଦ୍ଧାର, ସ୍ପେଶାଲ ଅପରେସନ୍, ବୁଡାଜାହଜ ନିରୋଧୀ ଏବଂ ଯୁଦ୍ଧଜାହଜ ନିରୋଧୀ ଅପରେସନରେ ବ୍ୟବହାର ହୋଇପାରିବ।