ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା କୋର୍ଟ କମ୍ପେ୍ଲକ୍ସ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତାଲିକାଭୁକ୍ତ ଆଇନଜୀବୀଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟତିଥି ଭାବେ ଜିଲ୍ଲା ଦୌରାଜଜ ସଂଜୀବ ଦୁବେ ଯୋଗଦେଇ ଆଇନଜୀବୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀଙ୍କୁ ନିଜ ନିଜ ଅଞ୍ଚଳର ଲୋକଙ୍କୁ କିପରି ସେମାନଙ୍କ ସାମ୍ବିଧାନିକ ଅଧିକାର, କର୍ତ୍ତବ୍ୟ ବିଷୟରେ ସଚେତନ କରିବେ, ଏହାବ୍ୟତୀତ ଲୋକ ଅଦାଲତର ଉପାଦେୟତା, ମଧ୍ୟସ୍ଥତା କେନ୍ଦ୍ରର କାର୍ଯ୍ୟକଳାପ ଓ ଉପାଦେୟତା ବିଷୟ ନେଇ ଲୋକଙ୍କୁ ଅବଗତ କରାଇବେ ସେନେଇ ମଧ୍ୟ ତାଲିମ ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ସଂଜୀବ ଦୁବେଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଥିଲା । ଅତିରିକ୍ତ ଜିଲ୍ଲା ଜଜ (ପୋକସୋ ଆକ୍ଟ୍ ) ପ୍ରଣତୀ ସାହା, ଅତିରିକ୍ତ ଜିଲ୍ଲା ଜଜ୍ ଶିବ ପ୍ରସାଦ ମିଶ୍ର, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ବିନୋଦ ବିହାରୀ ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ, ବରିଷ୍ଠ ଦେବାନୀ ଜଜ୍ ରାଜୀବ ଲୋଚନ ସାହୁ, ରେଜିଷ୍ଟ୍ରାର ଜିଲ୍ଲା କୋର୍ଟ ସୁକାନ୍ତ କିଶୋର ଜେନା ଓ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରଜ୍ଞା ପଣ୍ଡା ପ୍ରମୁଖ ଆଇନଜୀବୀଙ୍କୁ ବିଭିନ୍ନ ଆଇନ ବିଷୟ ନେଇ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।