ଟ୍ରାକରୁ ଖସିଲା କୋଇଲା ବୋଝେଇ ଟ୍ରେନ, ୭ଟି ବଗି ଲାଇନଚ୍ୟୁତ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଧାମରା ରେଳପଥ ପାଳିଆଜିଝାପୁରରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି। ସୂଚନା ଅନୁସାରେ ସୋମବାର ସକାଳ ପ୍ରାୟ ୬ଟାରେ ଏକ କୋଇଲା ବୋଝେଇ ଟ୍ରେନଟି ଧାମରରୁ ଭଦ୍ରକ ଅଭିମୁଖେ ଯାଉଥିବାବେଳେ କୌଣସି କାରଣରୁ ଟ୍ରେନଟି ଲାଇନଚ୍ୟୁତହୋଇଥିଲା। ଏହି ସମୟରେ ଟ୍ରାକରୁ ୭ଟି ବଗି ଖସିଯାଇଥିବାବେଳେ ଦୁଇଟି ବଗି ସମ୍ପୂର୍ଣ୍ଣ ଓଲଟି ଯାଇଛି। ଏପରିକି ବଗିରୁ ଚକା ମଧ୍ୟ ବାହାରି ପଡ଼ିଛି।

ସେହିପରି ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ତେବେ ପ୍ରତ୍ୟେକ ଦିନ ଏହି ରୁଟ ଦେଇ ଟ୍ରେନ ଧାମରା ବନ୍ଦରକୁ ଯା’ଆସ କରିଥାଏ। ତେବେ ଟ୍ରେନ ଦୁର୍ଘଟଣାରେ କୋଇଲା ପରିବହନରେ ବାଧା ଉପୁଜିଛି। ଘଟଣା ପରେ ଧାମରା ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏ ନେଇ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଲଗାଣ ବର୍ଷାରେ ଏହି ଟ୍ରାକଟି ଦବି ଯାଇଥିବାରୁ ଏଭଳି ଅଘଟଣ ଘଟିଛି।