ଟ୍ରେନରୁ ଦୁଇ ସନ୍ତାନଙ୍କ ସହ ମହିଳା ନିଖୋଜ

ପାଟନା, ଏଜେନ୍ସି: ସପରିବାର ଟ୍ରେନ ଯାତ୍ରା କରୁଥିବାବେଳେ ୨୪ ବର୍ଷ ବୟସ୍କା ଜଣେ ମହିଳା ନିଜର ଦୁଇ ସନ୍ତାନଙ୍କ ସହ ଅତି ରହସ୍ୟଜନକଭାବ ନିଖୋଜ ହେବା ଘଟଣା ରେଳବାଇ ପୁଲିସକୁ ଚିନ୍ତାରେ ପକାଇଛି। ସୂଚନା ଅନୁଯାୟୀ ଡିସେମ୍ବର ୨ରେ ସନ୍ଦୀପ କୁମାର ଝା ନାମକ ବ୍ୟକ୍ତିଜଣକ ପତ୍ନୀ ଓ ଦୁଇ ନାବାଳକ ସନ୍ତାନଙ୍କ ସହ ଟାଟା-ଛାପ୍ରା ଫେଷ୍ଟିଭାଲ ଏକ୍ସପ୍ରେସ ଯୋଗେ ବିହାରର ସମସ୍ତିପୁରରୁ ଟାଟାନଗର ଅଭିମୁଖେ ଯାତ୍ରା କରୁଥିଲେ। ରାତି ୮ଟା ୩୦ରେ ରାତ୍ରିଭୋଜନ କରିବାପରେ ସେମାନେ ସ୍ଲିପର ବର୍ଥରେ ଶୋଇପଡିଥିଲେ। ତେବେ ଟ୍ରେନଟି ବରାଉନି ଜଙ୍କସନ ଅତିକ୍ରମ କରୁଥିବାବେଳେ ଜଣେ ମହିଳାଙ୍କ ଚିତ୍କାର ଶୁଣି ସନ୍ଦୀପ ଉଠିପଡିଥିଲେ। ବର୍ଥରେ ପତ୍ନୀ ଓ ସନ୍ତାନଙ୍କୁ ନ ଦେଖି ତାଙ୍କର ହୋସ୍ ଉଡିଯାଇଥିଲା। ସହଯାତ୍ରୀ ଓ ଟିଟିଇଙ୍କ ସହାୟତାରେ ଦୁଇ ତିନିଟି ପାଖାପାଖି ବଗିରେ ଖୋଜାଖୋଜି କରିଥିଲେ ସୁଦ୍ଧା ସେମାନଙ୍କର କୌଣସି ପତ୍ତା ମିଳିନଥିଲା। ପତ୍ନୀ ଓ ପିଲାଙ୍କୁ ଅପହରଣ କରାଯାଇଛି ବୋଲି ଅଭିଯୋଗ କରି ସନ୍ଦୀପ ଟାଟାନଗର ରେଳବାଇ ଥାନାରେ ଏତଲା ଦାଏର କରିଛନ୍ତି।