ମାର୍ଚ୍ଚ ପହିଲାରୁ ଜୋରଦାର୍ ଧରପଗଡ଼

ଭୁବନେଶ୍ୱର,ଏନ୍ଏନ୍ଏସ୍ : ମୋଟରଯାନ ଆଇନ ଖିଲାପକାରୀଙ୍କୁ ଆଉ ନିସ୍ତାର ନାହିଁ। ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ଭାବେ ମୋଟରଯାନ ନିୟମ ଖିଲାପକାରୀଙ୍କୁ ଧରପଗଡ଼ କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଯେଉଁମାନେ ନିୟମ ଖିଲାପ୍ କରିବେ ସେମାନଙ୍କ ଉପରେ ପଡ଼ିବ ମୋଟାଅଙ୍କର ଜୋରିମାନା। ଟ୍ରାଫିକ ନିୟମ କଡ଼ାକଡ଼ି ଲାଗୁକରିବାକୁ ରାଜ୍ୟ ସରକାର କୋହଳ କରିଥିବା ତାରିଖ ଶେଷହେବାକୁ ମାତ୍ର ଆଉ ଅଳ୍ପଦିନ ବାକି ରହିଛି। ସଂଶୋଧିତ ନୂଆ ମୋଟରଯାନ ଆଇନ ଅନୁଯାୟୀ ମାର୍ଚ୍ଚ ପହିଲାରୁ ଟ୍ରାଫିକ ନିୟମ ଖିଲାପକାରୀଙ୍କଠାରୁ ଜୋରିମାନା ଆଦାୟକୁ କଡ଼ାକଡ଼ି କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ପରିବହନ ମନ୍ତ୍ରୀଙ୍କ ସୂଚନାନୁଯାୟୀ, ଲୋକଙ୍କୁ ଗାଡ଼ି କାଗଜପତ୍ର କରିବାକୁ ଢେର ସମୟ ଦିଆଯାଇଥିଲା। ଏବେ ରାଜ୍ୟର ଅଧିକାଂଶ ଲୋକ ସେମାନଙ୍କର ଗାଡ଼ି ସମ୍ପର୍କିତ କାଗଜପତ୍ର କରିସାରିଲେଣି। ପୂର୍ବଭଳି ଆଉ ଆର୍ଟିଓ ଅଫିସ ଆଗରେ ଭିଡ଼ ହେଉନି। ତେଣୁ ମାର୍ଚ୍ଚ ପହିଲାରୁ ଆଇନ୍ କଡ଼ାକଡ଼ି ଭାବେ ପୁଣି ଲାଗୁକରାଯିବାକୁ ନିଷ୍ପତ୍ତି ହୋଇଛି। ଫଳରେ ଏଣିକି ନିୟମ ଉଲ୍ଲଂଘନ କଲେ ଜୋରିମାନା ଆଦାୟ କରାଯିବ। ମୋଟାଅଙ୍କର ଜୋରିମାନା ସାଙ୍ଗକୁ ଏଥପାଇଁ ଗାଡ଼ିଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବି ରଦ୍ଦ ହୋଇପାରେ।

ଲାଇସେନ୍ସ ନଥିଲେ, ହେଲମେଟ୍ ପିନ୍ଧିନଥିଲେ, ମଦ୍ୟପାନ କରି ଗାଡ଼ି ଚଳାଇଲେ ଜୋରିମାନା ଦେବାକୁ ପଡ଼ିବ। ତେବେ ଜଣେ ବ୍ୟକ୍ତି ପ୍ରଥମଥର ପାଇଁ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ୧୦୦ଟଙ୍କା ଜୋରିମାନା ଦେବେ। ୨ୟଥର ନିୟମ ଭାଙ୍ଗି ଧରାପଡ଼ିଲେ ୩୦୦ଟଙ୍କା, ୩ୟ ଥର ଧରାପଡ଼ିଲେ ୫୦୦ ଟଙ୍କା ଏବଂ ୪ର୍ଥ ଥର ୧୫୦୦ଟଙ୍କା ଜୋରିମାନା ଦେବେ। ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦ୍ଦେଶ ନମାନିଲେ ୫୦୦ରୁ ୨୦୦୦ଟଙ୍କା ଯାଏଁ ଜୋରିମାନା ଦେବାକୁ ହେବ। ଦ୍ରୁତଗତିରେ ଗାଡ଼ିଚାଳନା ପାଇଁ ୪୦୦ରୁ ୨୦୦୦ ଟଙ୍କା, ମୋବାଇଲ ଫୋନ୍ରେ କଥାହୋଇ ଗାଡ଼ିଚଳାଇଲେ ୫ହଜାରରୁ ୧୦ହଜାର ଟଙ୍କା, କାରର ସିଟ୍ବେଲ୍ଟ ବାନ୍ଧ ନଥିଲେ ଏକହଜାର ଟଙ୍କା, ବିନା ସେଫ୍ଟି ବେଲ୍ଟରେ ୧୪ବର୍ଷରୁ କମ ବୟସର ଶିଶୁଙ୍କୁ କାରରେ ନେଉଥିଲେ ଏକହଜାର ଟଙ୍କା ଜୋରିମାନା ଗଣିବାକୁ ପଡ଼ିବ।

ସେହିଭଳି ଗୋଟିଏ ବାଇକରେ ୨ରୁ ଅଧିକ ଯାଉଥିଲେ ୧ହଜାର ଟଙ୍କା, ଗାଡ଼ିଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲ୍ମେଟ୍ ନପିନ୍ଧିଲେ ମଧ୍ୟ ଏକହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଏହାଛଡ଼ା ରାସ୍ତାରେ ଗଲାବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ିକୁ ବାଟନଛାଡ଼ିଲେ ୧୦ହଜାର ଟଙ୍କାର ଜୋରିମାନା କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।