ଟ୍ରାଫିକ୍ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟରଙ୍କୁ ଡ୍ୟୁଟି ମନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟରଙ୍କୁ ଡ୍ୟୁଟି ଆସିବାକୁ ମନା କରାଯାଇଛି। ପରିସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଘରେ ରହିବା ପାଇଁ ସେମାନଙ୍କୁ କୁହାଯାଇଛି। ମାର୍ଚ୍ଚ ୨୫ ତାରିଖ ପରଠାରୁ ସମସ୍ତ ଟ୍ରାଫିକ୍ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟରଙ୍କୁ ଛୁଟି ଦିଆଯାଇଥିଲା। ଅନଲକ ହେବା ପରେ ପୁଣି ଜୁନ୍ ୧ ତାରିଖ ଠାରୁ ଏମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ହେଲେ ପରିସ୍ଥିତି ଦିନକୁ ଦିନ ବିଗୁଡୁଥିବାରୁ ସେମାନଙ୍କୁ ପୁଣି ଛୁଟି ଦିଆଯାଇଥିବା ଜଣାପଡ଼ିଛି।
କଟକ-ଭୁବନେଶ୍ୱର ଦ୍ୱୈତନଗରୀରେ ଦିନକୁ ଦିନ ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଆବଶ୍ୟକୀୟ ଟ୍ରାଫିକ ପଦବୀ ପୂରଣ ହେଉନଥିବାରୁ, ଟ୍ରାଫିକ ପରିଚାଳନାରେ ବାଧା ସୃଷ୍ଟି ହେଉଛି। ଏଥିପାଇଁ କିଛି ବର୍ଷ ହେବ ଟୁଇନସିଟିରେ ୫୦୦ରୁ ଅଧିକ ଟ୍ରାଫିକ୍ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟରଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ସହରର ବିଭିନ୍ନ ଜନଗହଳି ଛକରେ ରହି ଟ୍ରାଫିକ ପରିଚାଳନା କରିବା ସହ ପୁଲିସକୁ ସହଯୋଗ କରୁଥିଲେ। ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ବାବଦକୁ ଦୈନିକ ୧୦୦ଟଙ୍କା ମିଳୁଥିଲା।