‘ରାଜସ୍ୱ ନୁହେଁ, ଭୟ ସୃଷ୍ଟି କରିବା ପାଇଁ ମୋଟାଅଙ୍କର ଜୋରିମାନା’

ନୂଆଦିଲ୍ଲୀ: ମୋଟରଯାନ ଆଇନରେ ମୋଟାଅଙ୍କର ଜୋରିମାନାକୁ ଯୁକ୍ତିଯୁକ୍ତ କରିବା ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ସରକାର ଲୋକଙ୍କ ମନରେ ଭୟ ସୃଷ୍ଟି କରି ଦୁର୍ଘଟଣା ହାର କମାଇବା ଉଦ୍ଦେଶ୍ୟରେ ଏଭଳି ଆଇନ ଲାଗୁ କରିଛନ୍ତି। ଟ୍ରାଫିକ ଉଲ୍ଲଙ୍ଘନ ବାବଦକୁ ନିର୍ଦ୍ଧାରିତ ଜୋରିମାନା କମାଇଲେ ନଚେତ୍ ବଢ଼ାଇଲେ, ସମ୍ପୃକ୍ତ ରାଜ୍ୟ ସରକାର ଦାୟୀ ରହିବେ। ଗୁଜରାଟର ବିଜେପି ସରକାର ନୂତନ ଟ୍ରାଫିକ୍ ଜୋରିମାନାକୁ ଲାଗୁ କରିନଥିବାରୁ ନୀତିନ ଗଡ଼କରୀ ଏପରି ମନ୍ତବ୍ୟ ପ୍ରଦାନ କରିଛନ୍ତି।

ସେ ପୁଣି କହିଛନ୍ତି, ଟ୍ରାଫିକ ଜୋରିମାନା କେବଳ କିଛି ଲୋକଙ୍କ ଉପରେ ଲାଗୁ କରାଯାଉନି। ଭାରତରେ ୩୦% ଡ୍ରାଇଭିଂ ଲାଇସେନ୍ସ ଜାଲ୍। ଲୋକଙ୍କ ମନରେ ଆଇନ ପ୍ରତି ସମ୍ମାନବୋଧ ନାହିଁ। ଲୋକମାନେ ଟ୍ରାଫିକ ପୁଲିସଙ୍କ ପ୍ରତି ବିଦ୍ରୁପ କରୁଛନ୍ତି। ଟ୍ରାଫିକ ପୁଲିସମାନେ ଲୋକଙ୍କ ମନୋରଞ୍ଜନ କରୁନାହାନ୍ତି। ଛକଗୁଡ଼ିକରେ ଠିଆ ହୋଇ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି।

ପ୍ରତ୍ୟେକ ବର୍ଷ ଦେଶରେ ସଡ଼କ ଦୁର୍ଘଟଣା ଘଟି ୧୮ରୁ ୩୫ ବର୍ଷ ବୟସ ମଧ୍ୟରେ ପ୍ରାୟ ଦେଢ଼ଲକ୍ଷ ଲୋକ ମରୁଛନ୍ତି। ଗୁଜରାଟରେ ସଡ଼କ ଦୁର୍ଘଟଣା ହାର କମାଇବା ସେଠାକାର ସରକାରଙ୍କର।

ଲୋକଙ୍କଠାରୁ ରାଜସ୍ୱ ଆଦାୟ କରିବା ଉଦ୍ଦେଶ୍ୟରେ ସଂଶୋଧିତ ମୋଟରଯାନ ଆଇନ କାର୍ଯ୍ୟକାରୀ କରାଯାଇନି, ବରଂ ଲୋକଙ୍କ ମନରେ ଆଇନ ପ୍ରତି ଭୟ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆମେ ବ୍ରିଟେନ୍ କି କାନାଡ଼ା ଗଲେ, ସେଠାରେ ବିନା ଲାଇସେନ୍ସରେ ଗାଡ଼ି ଚଳାଇବାକୁ ସାହସ କରିପାରିବା କି ବୋଲି ନୀତିନ ପ୍ରଶ୍ନ କରିଛନ୍ତି।