ବିମଳା ପୀଠରେ ଷୋଳପୂଜା ପରମ୍ପରା: ବଳିର ରକ୍ତ ପାନ କରିବେ ପାଶ୍ୱର୍ଦେବୀ ବିଶୁ ମିଶ୍ର, ପୁରୀ ଦୁର୍ଗା ପୂଜା By Nitidin Last updated Sep 28, 2019 Share ପୁରୀ,ଏନ୍ଏନ୍ଏସ୍: କେଉଁ ସ୍ମରଣାତୀତ କାଳରୁ ଭାରତରେ ପ୍ରଚଳିତ ରହିଛି ଶକ୍ତି ଆରାଧନାର ପରମ୍ପରା। ଶକ୍ତିର ପ୍ରତୀକ ଦେବୀ ଦୁର୍ଗା ବିବିଧ ନାମ ଓ ରୂପରେ ପୂଜା ପାଇଁ ଆସୁଛନ୍ତି। ଓଡ଼ିଶାରେ ରହିଛି ଅନେକ ପ୍ରସିଦ୍ଧ ଶକ୍ତି ପୀଠ। କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଥିବା ପ୍ରସିଦ୍ଧ ଓ ପ୍ରମୁଖ ଶକ୍ତିପୀଠଗୁଡ଼ିକ ମଧ୍ୟରୁ ଶ୍ରୀକ୍ଷେତ୍ରର ବିମଳାଙ୍କ ପୀଠ ଅନ୍ୟତମ। ଶ୍ରୀକ୍ଷେତ୍ର ଦେବୀ ପାର୍ବତୀଙ୍କ ପାଦପୀଠ ରୂପେ ଜଣାଶୁଣା। ଶ୍ରୀମନ୍ଦିର ବେଢ଼ାରେ ଅର୍ଚ୍ଚିତା କ୍ଷେତ୍ରେଶ୍ୱରୀ ଦେବୀ ବିମଳାଙ୍କର ଶାରଦୀୟ ଦୁର୍ଗାପୂଜା ଅବସରରେ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୁଏ। ମୂଳାଷ୍ଟମୀରେ ସହସ୍ର କୁମ୍ଭାଭିଷେକ ପରେ ସମ୍ପ୍ରତି ଅନୁଷ୍ଠିତ ହେଉଛି ଦେବୀ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜା। କାତ୍ୟାୟନୀ ରୂପେ ଆରାଧିତା ଦେବୀ ବିମଳାଙ୍କ ମନ୍ଦିର କେଶରୀ ବଂଶର ରାଜା ଇନ୍ଦ୍ର ରଥଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ନାରଦ ପୁରାଣ, ବ୍ରହ୍ମପୁରାଣ, ସ୍କନ୍ଦ ପୁରାଣ ଓ ପୁରୁଷୋତ୍ତମ ମାହାତ୍ମ୍ୟରେ ଦେବୀ ବିମଳାଙ୍କ ଆରାଧନା ପଦ୍ଧତି ବର୍ଣ୍ଣିତ ରହିଛି। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ବିମଳାଙ୍କ ଆରାଧନା କରାଯାଇ ଆସୁଥିବା କୁହାଯାଏ। ଶାଶ୍ୱତ ସଂହିତା, ଅହର୍ବୁୟଂ ସଂହିତା ଓ ଶାରଦା ତିଳକ ତନ୍ତ୍ରରେ ମଧ୍ୟ ଦେବୀ ବିମଳାଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି। ବିମଳାଙ୍କ ପୀଠରେ ବଳି ପ୍ରଦାନର ପରମ୍ପରା ରହିଛି। ମାର୍କଣ୍ଡେୟ ଋଷିଙ୍କ ରଚିତ ଚଣ୍ଡୀପୁରାଣର ସପ୍ତଶତୀ ଚଣ୍ଡୀରେ ବଳି ପ୍ରଥାର ବର୍ଣ୍ଣନା ରହିଛି। ଦେବୀ ବିମଳାଙ୍କୁ ଆମିଷ ଭୋଜିନୀ ବୋଲି ଅଭିହିତ କରାଯାଉଥିଲେ ମଧ୍ୟ ପ୍ରକୃତରେ ସେ ପରମ ବୈଷ୍ଣବୀ, ସେ ମହାଲକ୍ଷ୍ମୀ, ମହାକାଳୀ ଓ ମହା ସରସ୍ୱତୀ, ଦେବୀ ବିମଳା ଆମିଷ ନୈବେଦ୍ୟ ଗ୍ରହଣ କରନ୍ତି ନାହିଁ। ତାଙ୍କର ୨ ପାଶ୍ୱର୍ରେ ଥିବା ଛାୟା ଓ ମାୟା ଆମିଷ ଗ୍ରହଣ କରିଥାନ୍ତି। ବାସ୍ତବରେ ବିମଳା ହେଉଛନ୍ତି କୈବଲ୍ୟ ଲୋଲୁପିନୀ ବା ନିର୍ମାଲ୍ୟ ପ୍ରିୟା ଦେବୀ। ତେବେ ବିମଳା ପରମ ବୈଷ୍ଣବୀ ଦେବୀ ହୋଇଥିଲେ ମଧ୍ୟ ଶାରଦୀୟ ଦୁର୍ଗାପୂଜାର ସପ୍ତମୀ, ଅଷ୍ଟମୀ ଓ ନବମୀରେ ବିମଳାଙ୍କ ନିକଟରେ ଛାଗବଳି ଉତ୍ସର୍ଗ କରାଯାଇଥାଏ। ବଳିର ରକ୍ତ ଦେବୀଙ୍କ ୨ ପାଶ୍ୱର୍ରେ ଥିବା ଛାୟା ଓ ମାୟା ପାନ କରନ୍ତି। ଦେବୀ ବିମଳାଙ୍କ ନିକଟରେ ନିର୍ମାଲ୍ୟ ଭୋଗ ବହୁ ପ୍ରାଚୀନକାଳରୁ ପ୍ରଚଳିତ। କୁହାଯାଏ ଶଙ୍କରାଚାର୍ଯ୍ୟଙ୍କ ସମୟରେ ଶ୍ରୀମନ୍ଦିରରେ ଶାଳଗ୍ରାମ ପୂଜା ପାଉଥିଲେ। ଶ୍ରୀ ବିଗ୍ରହମାନେ ସେତେବେଳେ ସୋନପୁରରେ ପାତାଳୀ ହୋଇଥିଲେ। ଶଙ୍କରାଚାର୍ଯ୍ୟ ତତ୍କାଳୀନ ରାଜା ଦ୍ୱିତୀୟ ଯଯାତିଙ୍କ ସାହାଯ୍ୟରେ ସେଠାରୁ ଶ୍ରୀବିଗ୍ରହମାନଙ୍କୁ ଆଣି ପ୍ରତିଷ୍ଠା କରାଇଥିଲେ। ପ୍ରତିଷ୍ଠା ସମୟରେ ପ୍ରଥମ କରି ନିର୍ମାଲ୍ୟ ବା ଅବଢ଼ା ଭୋଗ ଆରମ୍ଭ ହୋଇଥିଲା। ଏହି ପ୍ରସାଦ ସେବନ କରିବା ପାଇଁ ବ୍ରାହ୍ମଣମାନେ ମନା କରିଦେବାରୁ ରାଜା ଯଯାତି ମହାପ୍ରଭୁଙ୍କ ନିକଟରେ ଅଧିଆ ପଡ଼ିଥିଲେ। ଏହାପରେ ଶଙ୍କରାଚାର୍ଯ୍ୟଙ୍କ ସମ୍ମୁଖରେ ଜଣେ ମୂକ ବ୍ରାହ୍ମଣକୁ ନିର୍ମାଲ୍ୟ ଦିଆଗଲା। ନିର୍ମାଲ୍ୟ ସେବନ କରିବା ପରେ ମୂକ ବ୍ରାହ୍ମଣ ମୁଖର ହୋଇଉଠି ମହାପ୍ରଭୁଙ୍କ ମହିମା ଗାନ କରିଥିଲେ। ଏହାପରେ ବ୍ରାହ୍ମଣମାନଙ୍କର ମତ ପରିବର୍ତ୍ତନ ଘଟିଥିଲା ଓ ସେମାନେ ନିର୍ମାଲ୍ୟ ଭୋଜନ କରିଥିଲେ ବୋଲି ମାଦଳା ପାଞ୍ଜିର ଉଡ୍ର ରାଜବଂଶାବଳୀରେ ଉଲ୍ଲେଖ ରହିଛି। ଆଦି ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ବୈଷ୍ଣବପୀଠ, ଶୈବପୀଠ ଓ ଶାକ୍ତପୀଠର ପ୍ରତୀକାତ୍ମକ ଦେବତା ରୂପେ ଶ୍ରୀଜଗନ୍ନାଥ (ବିଷ୍ଣୁ), ଶ୍ରୀବଳଭଦ୍ର(ଶିବ) ଓ ସୁଭଦ୍ରା(ଦୁର୍ଗା) ରୂପେ ପ୍ରତିଷ୍ଠା କରିଥିଲେ। ବିମଳାଙ୍କ ପୀଠରେ ଆଶ୍ୱିନ ମାସ କୃଷ୍ଣପକ୍ଷ ସପ୍ତମୀ କିମ୍ବା ଅଷ୍ଟମୀରୁ ଆରମ୍ଭ ହୋଇଥାଏ ଷୋଳପୂଜା। ଏହି ଅବସରରେ ରତ୍ନ ସିଂହାସନ ଉପରେ ପୂଜା ପାଉଥିବା ମାଧବ ବା କାଳପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କଠାରୁ ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ କରି ବିମଳାଙ୍କ ମନ୍ଦିରକୁ ଯାଇଥାନ୍ତି। ୮ଦିନ ଧରି ଦୁର୍ଗାମାଧବ ବିମଳାଙ୍କ ମନ୍ଦିରରେ ଅର୍ଚ୍ଚିତ ହେଉଥିବାବେଳେ ନବମୀ ଦିନଠାରୁ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ରଥରେ ବିଜେ କରନ୍ତି। ଏହା ଶାକ୍ତ ଗୁଣ୍ଡିଚା ରୂପେ ଜଣାଶୁଣା। ଷୋଳପୂଜାରେ ବିମଳାଙ୍କ ନିକଟରେ ସ୍ୱତନ୍ତ୍ର ଧୂପ ଓ ସ୍ୱତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ପ୍ରତ୍ୟହ ବିମଳାଙ୍କ ମନ୍ଦିରର ଜଗମୋହନରେ ହୋମ ଓ ଚଣ୍ଡୀପୀଠ କରାଯାଏ। ଦେବୀ ବିମଳା ବିଭିନ୍ନ ଦିବସରେ ବନଦୁର୍ଗା, ଭୁବନେଶ୍ୱରୀ, ନାରାୟଣୀ, ମାତଙ୍ଗିନୀ, ଦଶଭୁଜା, ରାଜେଶ୍ୱରୀ, ହରଚଣ୍ଡୀ ଓ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଆଶ୍ୱିନ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀରେ ବିମଳାଙ୍କ ନିକଟରେ ଛାଗ ବଳି ପଡ଼ିବ। ଏହି ୩ଦିନ ନିଶାର୍ଦ୍ଧରେ ବିମଳାଙ୍କ ଆମିଷ ଭୋଗ କରାଯିବ। ଏହି ଭୋଗ ପ୍ରସ୍ତୁତି ପାଇଁ ବିମଳାଙ୍କ ମନ୍ଦିର ପାଶ୍ୱର୍ରେ ତାଟି ଘେରାଯାଇ ନିର୍ମିତ ହେବ ସ୍ୱତନ୍ତ୍ର ରୋଷଶାଳା। ଶ୍ରୀଜିଉମାନଙ୍କ ପହୁଡ଼ ପରେ ମନ୍ଦିର ଶୋଧ କରାଯାଇ ଅସ୍ଥାୟୀ ରୋଷଶାଳାରେ ଆମିଷ ଭୋଗ ରନ୍ଧାଯିବ। ମନ୍ଦିରର ସୁଆରମାନେ ଭୋଗ ପାଇଁ କାନିକା, ଡାଲି, ମାଛ ବେସର, ମାଛଭଜା ଓ ଖିରି ବ୍ୟଞ୍ଜନ ପ୍ରସ୍ତୁତ କରିବେ। ଭୋଗରନ୍ଧା ସରିବା ପରେ ଛାଗବଳି ଦିଆଯିବ। କଳାରଙ୍ଗର ବସ୍ତ୍ର ପରିହିତ କଟାରିଆ ଛାଗବଳି ପକାଏ। ଛାଗର ମୁଣ୍ଡ କଟାଯିବା ପରେ ତାହାକୁ ଚାଉଳ ରହିଥିବା ୨ଟି ସରାରେ ରଖାଯାଏ ଓ ସେଥିରେ କିଛି କଦଳୀ ମଧ୍ୟ ରଖାଯାଏ। ବିମଳାଙ୍କ ସମ୍ମୁଖରେ ଏହି ସରା ଦୁଇଟି ରଖାଯାଇ ପୂଜା କରାଯାଏ। ସହରବାସୀ ଗଭୀର ନିଦ୍ରାମଗ୍ନ ଥିବାବେଳେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ। ବିମଳାଙ୍କ ନିକଟରେ ମାନସିକ କରାଯାଇଥିବା ଅନ୍ୟ ଛାଗବଳି ବଣିଆପଟିରେ ଥିବା ବିମଳାଙ୍କ ପ୍ରତିନିଧି ରୂପେ ପରିଚିତା କାକୁଡ଼ିଖାଇଙ୍କ ନିକଟରେ ପକାଯାଏ। ତିନି ପୂଜା ଅବସରରେ ଦେବୀ ବିମଳାଙ୍କ ଭୋଗ ସରଞ୍ଜାମ ପଶ୍ଚିମ ଦ୍ୱାର ବାଟେ ମନ୍ଦିରକୁ ନିଆଯାଏ। ଷୋଳପୂଜା ସମୟରେ ବିମଳାଙ୍କ ନିକଟକୁ କୌଣସି ମହିଳାଙ୍କୁ ଛଡ଼ାଯାଏ ନାହିଁ। ପ୍ରତ୍ୟହ ଶ୍ରୀଜିଉମାନଙ୍କ ନିକଟରେ କରାଯାଉଥିବା ଭୋଗ ବିମଳାଙ୍କ ନିକଟରେ ସମର୍ପିତ ହେବା ପରେ ହିଁ ତାହା ମହାପ୍ରସାଦର ମାନ୍ୟତା ଲାଭ କରିଥାଏ। ସନ୍ଧ୍ୟା ଧୂପ ପରେ ଥାଳି ଭୋଗ ବିମଳାଙ୍କ ନିକଟକୁ ସମର୍ପଣ ପାଇଁ ଆସିଥାଏ। ଭୋଗ ଉପରେ ବିମଳାଙ୍କ ବେଲ ପତ୍ର ପଡ଼ିବା ପରେ ତାହା ମହାପ୍ରସାଦରେ ପରିଣତ ହୁଏ। କେଉଁ ପ୍ରାଚୀନକାଳରୁ ଏହି ସ୍ୱତନ୍ତ୍ର ପୂଜା ବିଧି ପ୍ରଚଳିତ ହୋଇଆସୁଛି। Share