ଲାଲ କିଲ୍ଲା ଉପରକୁ ଚଢିଗଲେ ଉତ୍ତ୍ୟକ୍ତ ଚାଷୀ, ଟ୍ରାକ୍ଟର ଓଲଟି ଜଣେ ଚାଷୀ ମୃତ

ନୂଆଦିଲ୍ଲୀ, ଏଜେନ୍ସି: ଆଜି ଦିଲ୍ଲୀରେ ଟ୍ରାକ୍ଟର ରାଲିବେଳେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ପୋଲିସ ଏବଂ ଚାଷୀମାନଙ୍କ ମଧ୍ୟରେ ପ୍ରବଳ ଧସ୍ତଧସ୍ତି  ହୋଇଥିଲା। ପୋଲିସ ସହ ଧସ୍ତାଧସ୍ତି ବେଳେ ଜଣେ ଚାଷୀଙ୍କର ଟ୍ରାକ୍ଟର ଓଲଟିଯିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି ।

ଅନୁମତି ନଥିବା ସ୍ଥାନମାନଙ୍କରେ ବଳପୂର୍ବକ ଧସେଇପଶିଛନ୍ତି ଚାଷୀ ।  ଉତ୍ତ୍ୟକ୍ତ ଚାଷୀମାନେ ଲାଲକିଲ୍ଲା ମଧ୍ୟକୁ ଧସେଇପଶିଛନ୍ତି । ପ୍ରଦର୍ଶନକାରୀ ଚାଷୀମାନେ ଲାଲକିଲ୍ଲା ଉପରକୁ ମଧ୍ୟ ଚଢିଯାଇଛନ୍ତି । ଚାଷୀମାନେ ବିଭିନ୍ନ ସଂଗଠନର ପତାକା ଧରି ଲାଲକିଲ୍ଲା ଉପରକୁ ଚଢିଯିବା ସହିତ ବିଭିନ୍ନ ନାରା ଦେଇଥିଲେ ।

ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତି ଦେବା ପରେ ଏବେ କିନ୍ତୁ ତାର ଓଲଟା ଦେଖିବାକୁ ମିଳୁଛି । ଅନୁମତି ନଥାଇ ବିଭିନ୍ନ ସ୍ଥାନରେ ଚାଷୀମାନେ ଉଗ୍ର ପ୍ରଦର୍ଶନ କରୁଛନ୍ତି ।

ପ୍ରକାଶ ଯେ, ଚାଷୀ ସଂଗଠନମାନଙ୍କୁ ଅନେକ ସର୍ତ୍ତ ସହିତ ଆନ୍ଦୋଳନ କରିବା ପାଇଁ ଅନୁମତି ଦେଇଥିଲା ଦିଲ୍ଲୀ ପୋଲିସ । କିନ୍ତୁ ଟ୍ରାକ୍ଟର ମାର୍ଚ୍ଚ ବେଳେ ଏହାର ଠିକ୍‌ ଓଲଟା ଦେଖିବାକୁ ମିଳିଛି । ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ ଅନୁପ୍ରବେଶ କରିଛନ୍ତି । ପୋଲିସ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିଛନ୍ତି ଚାଷୀ ।