ଅକ୍ଟୋବର ୧୫ରୁ ମିଳିବ ବିଦେଶୀ ପର୍ଯ୍ୟଟକଙ୍କୁ ଟୁରିଷ୍ଟ ଭିସା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଯାଇଥିବା ବେଳେ ଏବେ ଧୀରେଧୀରେ ସ୍ଥିତି ସୁଧୁରିବାରୁ କଟକଣାକୁ କୋହଳ କରାଯାଉଛି। ଆସନ୍ତା ଅକ୍ଟୋବର ୧୫ରୁ ପୁଣି ବିଦେଶୀ ପର୍ଯ୍ୟଟକଙ୍କୁ ମିଳିବ ଟୁରିଷ୍ଟ ଭିସା। ଏନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ କରୋନା କଟକଣା ସହିତ ଟୁରିଷ୍ଟ ଭିସା ଦିଆଯିବ ବୋଲି ନିଷ୍ପତି ହୋଇଛି।

ବର୍ତ୍ତମାନ କେବଳ ଚାଟାର୍ଡ ବିମାନରେ ଆସୁଥିବା ଟୁରିଷ୍ଟ ମାନଙ୍କୁ ଭିସା ପ୍ରଦାନ କରିବାକୁ ନିଷ୍ପତି ହୋଇଛି। ଅନ୍ୟପଟେ ନଭେମ୍ବର ୧୫ରୁ ଅନ୍ୟ ବିମାନରେ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ଟୁରିଷ୍ଟ ଭିସା ମିଳିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ପ୍ରକାର କୋଭିଡ୍ ପ୍ରୋଟକଲ ସହିତ ପର୍ଯ୍ୟଟକ ମାନଙ୍କୁ ଟୁରିଷ୍ଟ ଭିସା ଦିଆଯିବ।