ଭୀମକୁଣ୍ଡରେ ବୁଡ଼ି ନିଖୋଜ ଥିବା ପର୍ୟ୍ୟଟକଙ୍କ ମିଳିଲା ପରିଚୟ, ଉଦ୍ଧାର କାର୍ଯ୍ୟ ଜାରି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାର ପର୍ୟ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଗତକାଲି ଅପରାହ୍ଣରେ ଜଣେ ପର୍ୟ୍ୟଟକ ବୁଡି ନିଖୋଜ ହୋଇଯାଇଥିବା ବେଳେ ଆଜି ତାଙ୍କର ପରିଚୟ ମିଳିଛି। ଏ ନେଇ ନିଖୋଜ ଯୁବକଙ୍କ ପରିବାର ପକ୍ଷରୁ ଆଜି ଠାକୁରମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଗତକାଲି ବଡ଼ଦିନ ଥିବାରୁ ଭୀମକୁଣ୍ଡରେ ବଣ ଭୋଜି କରିବା ପାଇଁ ହଜାର ହଜାର ପର୍ୟ୍ୟଟକଙ୍କ ଭିଡ଼ ଜମିଥିଲା।

ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ଦୀଘା ମୈତ୍ରପୁର ଅଞ୍ଚଳ ଅଳଙ୍କରପୁର ସମବାୟ ସମିତି ପକ୍ଷରୁ ୯ଜଣ ବ୍ୟାଙ୍କ କର୍ମଚାରୀ ବଣଭୋଜି କରିବା ପାଇଁ ଭୀମକୁଣ୍ଡ ଆସି ସେଠାରେ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ରାଜେନ୍ଦ୍ର ସିଂହ ନାମକ ଜଣେ ପର୍ୟ୍ୟଟକ ବୁଡି ଯାଇ ନିଖୋଜ ହୋଇଯାଇଥିଲେ। ଅପରପକ୍ଷରେ ତାଙ୍କ ସହ ଯାଇଥିବା ବ୍ୟାଙ୍କ କର୍ମଚାରୀ ମାନେ ସେଠାରୁ ପଳାଇ ଆସିଥିଲେ। ତେବେ ନିଖୋଜ ବ୍ୟକ୍ତିର ପରିଚୟ ମିଳିପାରିନଥିଲା। ତେବେ ପରିବାର ପକ୍ଷରୁ ଅଭିଯୋଗ ପରେ ଗୁରୁବାର ଉଦ୍ଧାର କାର୍ୟ୍ୟ ଜାରି ରହିଛି।

ସେହିଭଳି ସେ ପାଣିରେ ଭାସିଯାଉଥିବାର ଏକ ଭିଡ଼ିଓ ଫୁଟେଜ ଦେଖିବାକୁ ମିଳିଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ସେହି ସମୟରେ ସେଠାରେ ଜଣେ ଖାକି ପୋଷାକ ଧାରୀ ଛିଡା ହୋଇଥିଲେ ମଧ୍ୟ ବିପଦ ପୂର୍ଣ୍ଣ ଯାଗାକୁ ଯିବାକୁ ବାରଣ କରିନଥିଲେ। ପ୍ରତେକ ବର୍ଷ ଏହି ଭୀମକୁଣ୍ଡରେ ବୁଡ଼ି ପର୍ୟ୍ୟଟକଙ୍କ ଜୀବନ ହାନି ହେଉଥିଲେ ମଧ୍ୟ ପ୍ରାଶାସନ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଏହି ସ୍ଥାନରେ ପ୍ରଶାସନ ପକ୍ଷରୁ ବ୍ୟାରିକେଡ ଓ ପୁଲିସ ମୁତୟନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।