କାରିଗରଙ୍କ ଲାଗି ବଜାର ସୃଷ୍ଟି କରିବା ତୋଷାଳି ମେଳାର ଉଦ୍ଦେଶ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆସନ୍ତା ୨୧ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବ । ମେଳାରେ ଦେଶର ବିଭିନ୍ନ ସ୍ଥାନରୁ କାରିଗର, ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଏବଂ ହସ୍ତଶଳ୍ପ ଜିନିଷ ପ୍ରଦର୍ଶନ କରିବେ । ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ଏକ ନିଆରା ସ୍ଥାନ ନିରୁପଣ କରିସାରିଛି ବୋଲି ମନ୍ତ୍ରୀ ପଦ୍ମିନୀ ଦିଆନ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ,ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରିବା ଏହି ମେଳାର ଆଭିମୁଖ୍ୟ ।