ଫିରିଙ୍ଗିଆ ପୁଲିସ ନାଁରେ ଅତ୍ୟାଚାର ଓ ଚୋରି ଅଭିଯୋଗ

ଗୁମାଗଡ଼,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ନାଁରେ ଅତ୍ୟାଚାର ଓ ଚୋରି ଅଭିଯୋଗ ହୋଇଛି । ପାଙ୍ଗାଉପରସାହି ପଞ୍ଚାୟତବାସୀ ଏହି ଅଭିଯୋଗ ଆଣିବା ସହ ଏସପିଙ୍କୁ ଏସଂକ୍ରାନ୍ତରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ରାତିରେ ପୁଲିସ ସାଦା ପୋଷାକରେ ଯାଇ ଗଞ୍ଜେଇ ଯାଞ୍ଚ ଆଳରେ ଘରେ ଥିବା ସୁନା, ରୂପା ଓ ଟଙ୍କା ଲୁଟୁଥିବା ନେଇ ପାଖାପାଖି ୧୦୦ରୁ ଊର୍‌ଦ୍ଧ୍ୱ ଲୋକେ ଏକତ୍ରିତ ହୋଇ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, କିଛିଦିନ ହେବ ପୁଲିସ ସାଦା ପୋଷାକରେ ଗାଁକୁ ଏକ ନଂ ବିହୀନ ଡାଲା ଗାଡ଼ି ନେଇ ଆସୁଛି । ସେମାନେ ରାତି ୧୦ଟା ପରେ ଘରେ ଘରେ ବୁଲୁଛନ୍ତି । ଘରେ ଥିବା ଟଙ୍କା ଓ ସୁନା ଗହଣା ଆଦି ଲୁଟି ନେଉଛନ୍ତି । ପ୍ରତିବାଦ କଲେ ଆମେ ଫିରିଙ୍ଗିଆ ଥାନାରୁ ଆସିଛୁ ବେଶି ପାଟି କଲେ ତୁମ୍ଭମାନଙ୍କୁ ଗଞ୍ଜେଇ ଚାଲାଣ ଏବଂ ଚୋରି ମାମଲାରେ ଫସାଇ କୋର୍ଟ ଚାଲାଣ କରିବୁ ବୋଲି ଧମକ ଦେଉଛନ୍ତି । ମହିଳାମାନେ ପ୍ରତିବାଦ କଲେ ସେମାନଙ୍କ ବେକ ଓ କାନରୁ ଗହଣା ଛିଣ୍ଡାଇ ନେଉଛନ୍ତି । ଏପରିକି ପିସ୍ତଲ ଦେଖାଇ ଭୟଭୀତ କରାଯାଉଛି । କିଛିଦିନ ତଳେ ଗ୍ରାମର ୨ଜଣ ଯୁବକଙ୍କୁ ପୁଲିସ ଉଠାଇ ନେଇଥିଲା । ପରଦିନ ଥାନାକୁ ଯାଇ ଦେଖିଲା ବେଳକୁ ଜଣେ ଯୁବକ ଥିବାବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛି । ତେଣୁ ଏସବୁ ଦିଗକୁ ତୁରନ୍ତ ତଦନ୍ତ କରାଯାଉ । ଏହାସହ ପୁଲିସ ରାତିରେ ନ ଆସି ଦିନରେ ଆସୁ ବୋଲି ସରପଞ୍ଚ ରଶ୍ମିତା କହଁର, ଶ୍ରୀଗୁନି ଦିଗାଲ, ରଙ୍କ କହଁର, ବିନୟ କହଁର, ଦିଲ୍ଲୀପ କୁମାର ଦିଗାଲ ଓ ଦଶରଥ ଦିଗାଲ ପ୍ରମୁଖ ପ୍ରକାଶ କରିଛନ୍ତି ।

ଏନେଇ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକଙ୍କୁ ପଚାରିବାରୁ ଗଞ୍ଜେଇ କାଟିଲେ ବିରୋଧ ଏବଂ ଗଞ୍ଜେଇ ଧରିଲେ ବିରୋଧ । ଏବେ ଗଞ୍ଜେଇ ଅମଳ ସମୟହୋଇଥିବାରୁ ଗ୍ରାମବାସୀ ବୈଠକ କରି କେହି ପୁଲିସକୁ ଖବର ଦେବାନାହିଁ କି କିଛି ଘଟିଲେ ଥାନାକୁ ଯିବା ନାହିଁ ବୋଲି ଯୋଜନା କରିଛନ୍ତି । ଏପରିି ହେଲେ ଗଞ୍ଜେଇ କାରବାର ଭଲ ହେବ । ପୁଲିସ କେବେ ଲୋକଙ୍କ ଘରୁ ଲୁଟ କରୁନାହିଁ । ସେମାନେ ଆଉ କିଏ ହୋଇଥିବେ । ଆମେ ମଧ୍ୟ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଛୁ । ପୁଲିସକୁ ବଦନାମ କରିବା ପାଇଁ ଗ୍ରାମବାସୀ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି ।