ଟୁଲକିଟ ମାମଲା: ଦିନିକିଆ ପୁଲିସ ରିମାଣ୍ଡରେ ଦିଶା ରବି

ନୂଆଦିଲ୍ଲୀ: ଟୁଲକିଟ ମାମଲାର ଅଭିଯୁକ୍ତ ଦିଶା ରବିଙ୍କୁ ପଚରାଉଚୁରା କରିବା ପାଇଁ ଦିଲ୍ଲୀ ପୁଲିସକୁ ଦିନିକିଆ ରିମାଣ୍ଡ ମିଳିଯାଇଛି। ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ଦିଶାଙ୍କୁ ଦିନିକିଆ ପୁଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି। ପୁଲିସ ୫ ଦିନିଆ ରିମାଣ୍ଡ ମାଗିଥିଲା ଯାହାକୁ ଦିଶାଙ୍କ ଓକିଲ ବିରୋଧ କରିଥିଲେ। ଆଜି କଡ଼ା ସୁରକ୍ଷା ମଧ୍ୟରେ ଦିଶା ପଟିୟାଲା ହାଉସକୋର୍ଟର ମୁଖ୍ୟ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ ପଙ୍କଜ ଶର୍ମାଙ୍କ ସମ୍ମୁଖରେ ହାଜର ହୋଇଥିଲେ।

ସୂଚନାଯୋଗ୍ୟ, ଦିଶା କୃଷକ ଆନ୍ଦୋଳନ ସହ ଜଡ଼ିତ ଟୁଲକିଟ ମାମଲାର ଷଡ଼ଯନ୍ତ୍ର ଓ ଦେଶଦ୍ରୋହ ଆରୋପର ସାମ୍ନା କରୁଛନ୍ତି। ଫେବୃଆରୀ ୧୩ ତାରିଖରେ ତାଙ୍କୁ ବାଙ୍ଗାଲୁରୁ ପୁଲିସ ଗିରଫ କରିଥିଲା। ଏଥିସହ ଆସନ୍ତାକାଲି ଦିଶାଙ୍କ ଜାମିନ ଆବେଦନର ଶୁଣାଣି ଦିଲ୍ଲୀର ପଟିୟାଲା ହାଉସ କୋର୍ଟରେ ହେବ ବୋଲି ଜଣାପଡ଼ିଛି।