ଭୁବନେଶ୍ୱର,ଏନ୍ଏନ୍ଏସ୍ : ଜାନୁଆରୀ ୮ରେ ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ ହେତୁ ରାଜ୍ୟର ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ ବୋଲି ମଙ୍ଗଳବାର ଜଣାପଡ଼ିଛି। ଗଣ ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା କାଲି ପ୍ରସ୍ତାବିତ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସୂଚନା ଯୋଗ୍ୟ ,ଆସନ୍ତା କାଲି ଏନଡିଏ ସରକାରଙ୍କ ଦମନକାରୀ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି।
ଏହି ବନ୍ଦ ଡାକରାକୁ ଦେଶର ବିଭିନ୍ନ କୃଷକ ସଙ୍ଗଠନ ସମର୍ଥନ କରୁଥିବା ଶ୍ରମିକ ସଙ୍ଗଠନ ସିଟୁର ସାଧାରଣ ସମ୍ପାଦକ ତପନ ସେନ କହିଛନ୍ତି । ଏହି ୨୪ ଘଣ୍ଟିଆ ବନ୍ଦ ପାଳନରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ସହ ବ୍ୟାଙ୍କ କର୍ମଚାରୀ,ଶିକ୍ଷକ,ଷ୍ଟିଲ,ବୀମା କ୍ଷେତ୍ରର କର୍ମଚାରୀ ଏବଂ ରେଳବାଇରେ କାର୍ଯ୍ୟକରୁଥିବା ଶ୍ରମିକ ଏବଂ ବନ୍ଦର ଶ୍ରମିକ ମାନେ ମଧ୍ୟ ସାମିଲ ହେବେ ବୋଲି ଜଣାପଡିଛି। ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ ଫଳରେ ସାରା ଦେଶରେ ଗାଡି ମୋଟର ଚଳାଚଳ ସହ ରେଳ ସେବା, ବ୍ୟାଙ୍କ ସେବା , ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହେବ ବୋଲି ଜଣାପଡ଼ିଛି।