ଆସନ୍ତାକାଲି ଠାରୁ ବିଧାନସଭାରେ ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ। ଦୁଇଟି ପର୍ୟ୍ୟାୟରେ ହେବ ଅଧିବେଶନ। ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ। ୧୮ରେ ଅର୍ଥମନ୍ତ୍ରୀ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। ଏହାପୂର୍ବରୁ ଆଜି ବାଚସ୍ପତି ଡକାଇଛନ୍ତି ସର୍ବଦଳୀୟ ବୈଠକ। ଗୃହ ପରିଚାଳନା ନେଇ ଆଲୋଚନା କରାଯିବ। ଏହି ପରିପ୍ରେକ୍ଷୀରେ ଗୃହ କାର୍ୟ୍ୟ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି। ଆଜି ବିଜୁ ଜନତା ଦଳ ବିଧାୟକ ଦଳ ବୈଠକ ଡାକିଥିବାବେଳେ ପୃଥକ ଭାବେ ବିଜେପି ଏବଂ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି।

ଏଥର ବଜେଟ ଅଧିବେଶନକୁ ଶୃଙ୍ଖଳାର ସହିତ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିବାବେଳେ ଅଧିବେଶନ କାଳରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ଓ ସ୍ପର୍ଶକାତର ପ୍ରସଙ୍ଗରେ ଜବାବ ଲୋଡ଼ିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ୧୪ରୁ ଅଧିବେଶନ ଆରମ୍ଭ ହେଉଥିବାବେଳେ ୧୮ରେ ଅର୍ଥ ମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ। ଏଥର ବଜେଟ ଆକାର ଦେଢ଼ ଲକ୍ଷ କୋଟି ଟପିବ ବୋଲି ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ଏ ପର୍ୟ୍ୟନ୍ତ ରାଜ୍ୟ ସରକାରଙ୍କ ରାଜସ୍ବ ସଂଗ୍ରହ ସେତେଟା ଆଖିଦୃଶିଆ ହୋଇପାରିନି। ଇତିମଧ୍ୟରେ ରାଜ୍ୟ ସରକାର ବହୁ ଯୋଜନା ଘୋଷଣା କରିସାରିଲେଣି।