ଆସନ୍ତାକାଲିଠାରୁ ବଦଳିବ ବ୍ୟାଙ୍କ କାର୍ଯ୍ୟ ଅବଧି, ୧୦ଟାରୁ ୪ଟା ଯାଏଁ ଚାଲିବ

ନୂଆଦିଲ୍ଲୀ,ଏଜେନ୍ସି: ଅକ୍ଟୋବର ୧ରୁ ସମସ୍ତ ସରକାରୀ ବ୍ୟାଙ୍କର କାର୍ୟ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ । ଏ ନେଇ ଏସଏଲବିସିରେ ୟୁକୋ ବ୍ୟାଙ୍କର ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ ସୂଚନା ଦେଇଛନ୍ତି। ପୂର୍ବରୁ ଏ ସମ୍ପର୍କରେ ଆଲୋଚନା ହେଉଥିବାବେଳେ ମଙ୍ଗଳବାର ଠାରୁ ଏହାକୁ ନୀତିଗତ ଭାବେ ଲାଗୁ କରିବା ପାଇଁ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିର ୧୫୬ତମ ବୈଠକରେ ନିଷ୍ପତି ନିଆଯାଇଛି । ଏଥିରେ ରାଜ୍ୟର ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକର କାର୍ୟ୍ୟ ଅବଧି ୧୦ଟାରୁ ୪ଟା ଯାଏଁ ରହିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଏହି ନିୟମ ମଙ୍ଗଳବାର ଠାରୁ ସମସ୍ତ ସରକାରୀ ବ୍ୟାଙ୍କରେ ଲାଗୁ ହେବ।

ଅନ୍ୟପଟେ, ସରକାରୀ ବ୍ୟାଙ୍କ ସହ ଘରୋଇ ବ୍ୟାଙ୍କଗୁଡିକୁ ବି ସମାନ ସମୟ ଅବଧି ପାଳନ କରିବାକୁ ଅନୁରୋଧ କରାଯାଇଛି । ସେହିଭଳି ଗ୍ରାମାଂଚଳରେ ବ୍ୟାଙ୍କିଂ ସେବାକୁ ତ୍ୱରାନ୍ୱିତ କରାଯିବା ସହ ଅଧିକ ସଂଖ୍ୟକ ବ୍ୟାଙ୍କ ଶାଖା ଖୋଲିବା ପାଇଁ ବୈଠକରେ କୁହାଯାଇଛି । ତେବେ ରାଜ୍ୟର ୬ଟି ଜିଲ୍ଲା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧା ଏବଂ ବଲାଙ୍ଗିରରେ ବ୍ୟାଙ୍କିଂ ସେବାକୁ ଶତପ୍ରତିଶତ ଡିଜିଟାଇଜେସନ କରାଯିବା ପାଇଁ ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ସମସ୍ତ ବ୍ୟାଙ୍କ ସମୟ ଭିନ୍ନ ଭିନ୍ନ ଥିଲା, କିନ୍ତୁ ବ୍ୟାଙ୍କ ଶାଖା ଗ୍ରାହକଙ୍କ ସୁବିଧା ଅନୁଯାୟୀ ସମୟ ନିର୍ଦ୍ଧାରଣ ଓ ସେବା ପ୍ରଦାନ ନେଇ କିଛି ବିକଳ୍ପ ରଖିଥିଲେ । ଯାହା ଉପରେ ବହୁ ବିଚାର ବିମର୍ଷ କରାଯାଇ ଆଜି ଏସଏଲବିସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।