ଟମାଟୋ ଦରରେ ନିଆଁ, ଦିଲ୍ଲୀରେ କିଲୋ ପିଛା ୬୦

ନୂଆଦିଲ୍ଲୀ: ଲଗାଣ ବର୍ଷା କାରଣରୁ ପିଆଜ ଦର ନାକେଦମ୍ କରିଚାଲିଥିବାବେଳେ ବର୍ତ୍ତମାନ ପିଆଜ ପରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ରାଜଧାନୀ ଦିଲ୍ଲୀରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଟମାଟୋ ଦର ୭୦% ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ଭାରିମାତ୍ରାର ବର୍ଷା ଜାରି ରହିଥିବାରୁ ପିଆଜ ଯୋଗାଣରେ ବାଧା ସୃଷ୍ଟି ହେଉଛି, ଯାହାଫଳରେ ଏହାର ମୂଲ୍ୟରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହେଉଛି।

ଏହି କ୍ରମରେ ବର୍ତ୍ତମାନ ପିଆଜ ପରେ ଟମାଟୋ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦେଶବ୍ୟାପୀ ପିଆଜ କିଲୋ ପିଛା ୬୦ରୁ ୮୦ ଟଙ୍କାରେ ମିଳୁଥିବାବେଳେ ଟମାଟୋ ମଧ୍ୟ କିଲୋପ୍ରତି ୪୦ରୁ ୬୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଦିଲ୍ଲୀ-ଏନସିଆର୍ରେ ଟମାଟୋ ଗତ କିଛିଦିନ ମଧ୍ୟରେ ୪୦ରୁ ୬୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାବେଳେ ଆସନ୍ତା ଦିନମାନଙ୍କରେ ଏଥିରେ ଆହୁରି ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି। କେବଳ ଦିଲ୍ଲୀ ନୁହେଁ, ସମଗ୍ର ଦେଶରେ ଟମାଟୋ ଦରରେ ଭାରିମାତ୍ରାର ବୃଦ୍ଧି ହୋଇଛି।

କେନ୍ଦ୍ରୀୟ ଉପଭୋକ୍ତା ବ୍ୟାପାର ବିଭାଗର ୱେବସାଇଟ୍ ମୁତାବକ, ଚଣ୍ଡିଗଡ଼ରେ ବୁଧବାର ଟମାଟୋ ଦର କିଲୋ ପିଛା ୫୨ ଟଙ୍କାରେ ବିକ୍ରି ହୋଇଛି। ଦିଲ୍ଲୀର ହୋଲସେଲ୍ ବଜାର ଆଜାଦପୁର ମଣ୍ଡିରେ ଗୁରୁବାର ଉନ୍ନତମାନର ୨୫ କିଲୋ ଟମାଟୋ ପ୍ୟାକେଟ୍ ହାରାହାରି ୮୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିବାବେଳେ ନିମ୍ନମାନର ୨୫ କିଲୋ ପିଆଜ ପ୍ୟାକେଟ୍ ହାରାହାରି ୫୦୦ ଟଙ୍କାରେ ବିକ୍ରି ହେଉଥିଲା।

ଆଜାଦ କୃଷି ଉତ୍ପାଦନ ମାର୍କେଟ୍ କମିଟି (ଏପିଏମସି)ର ମୂଲ୍ୟସୂଚୀ ମୁତାବକ, ସେପ୍ଟେମ୍ବର ୧୯ରେ ଦିଲ୍ଲୀରେ ଟମାଟୋର ପାଇକାରୀ ମୂଲ୍ୟ କିଲୋ ପିଛା ୪.୫୦ ଟଙ୍କାରୁ ୨୦ ଟଙ୍କା ପର୍ଯ୍ୟନ୍ତ ରହିଥିବାବେଳେ ଦିନକ ପୂର୍ବେ ଅର୍ଥାତ୍ ବୁଧବାର ଟମାଟୋର ପାଇକାରୀ ଦର କିଲୋପ୍ରତି ୮ ଟଙ୍କାରୁ ୩୪ ଟଙ୍କା ପର୍ଯ୍ୟନ୍ତ ରହିଥିଲା। ଟମାଟୋ ମୂଲ୍ୟରେ ଏହି ଉତ୍ଥାନ-ପତନ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି। ବର୍ଷା କାରଣରୁ ଉତ୍ପାଦନ ବାଧାପ୍ରାପ୍ତ ହେଉଛି, ଯାହାଦ୍ୱାରା ପିଆଜ ଏବଂ ଟମାଟୋ ବ୍ୟତୀତ ରସୁଣ ଦର ମଧ୍ୟ କିଲୋପିଛା ୨୦୦ ଟଙ୍କାରେ ପହଞ୍ଚିଛି।