ପାନୀୟ ଜଳ ପାଇଁ ଟୋଲ-ଫ୍ରି ନମ୍ବର

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକେ ଯେଭଳି ସୁରୁଖୁରୁରେ ପାନୀୟଜଳ ପାଇବେ ସେଥିପାଇଁ ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦୁଇଟି ଟୋଲ-ଫ୍ରି ନମ୍ବର ଜାରି ହୋଇଛି। ସହରାଞ୍ଚଳ ପାଇଁ ଟୋଲ-ଫ୍ରି ନମ୍ବର ୧୮୦୦୩୪୫୬୭୮୩ ଥିବାବେଳେ ଗ୍ରାମାଞ୍ଚଳ ପାଇଁ ୧୯୧୬ ରହିଛି। ଜଳଯୋଗାଣ ନେଇ କୌଣସି ଆବଶ୍ୟକତା ପଡ଼ିଲେ ଏହି ନମ୍ବରରେ ଲୋକେ ଫୋନ୍‍ କରିପାରିବେ। ଏଥି ସହିତ ଜଳ ଯୋଗାଣ ପାଇଁ ଆଜିଠାରୁ କଣ୍ଟ୍ରୋଲରୁମ୍‍ ଖୋଲିଥିବାବେଳେ ପାନୀୟଜଳ ଯୋଗାଣରେ ଯେଭଳି କୌଣସି ସମସ୍ୟା ଦେଖାନଦିଏ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ପାନୀୟଜଳ ଯୋଗାଣ ସଂକ୍ରାନ୍ତରେ ଆଜି ମନ୍ତ୍ରୀ ଶ୍ରୀ ଜେନା ସମୀକ୍ଷା କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି.କେ.ସିଂହଙ୍କ ସମେତ ବରିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ ଗ୍ରୀଷ୍ମଋତୁରେ ଯେଭଳି ନିରବଚ୍ଛିନ୍ନ ଜଳଯୋଗାଣ ଜାରି ରହିବ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଏପ୍ରିଲ୍‍ ତୃତୀୟ ସପ୍ତାହ ସୁଦ୍ଧା ସମସ୍ତ ନଳକୂପଗୁଡ଼ିକର ମରାମତି ସାରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ୨୪ ଘଣ୍ଟା ଭିତରେ ଏଥିପାଇଁ ଆବଶ୍ୟକ ଆନୁଷଙ୍ଗିକ ଉପକରଣ ପ୍ରସ୍ତୁତ ଲାଗି କହିଛନ୍ତି। ସେହିଭଳି ପମ୍ପହାଉସଗୁଡ଼ିକରେ ଜେନେରେଟର ପ୍ରସ୍ତୁତ କରି ରଖିବା ସହିତ କୌଣସି ଠାରେ ପାଣିପାଇପ୍‍ରେ ଲିକ୍‍ ଦେଖାଦେଲେ ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ କୁହାଯାଇଛି।

ସହରାଞ୍ଚଳରେ ଯୋଗାଯାଉଥିବା ଜଳକୁ ଠିକଣାଭାବେ ବିଶୋଧନ ସହିତ ଆବଶ୍ୟକସ୍ଥଳେ ଜଳଯୋଗାଣ ଲାଗି ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ କହିଛନ୍ତି। ସେହିଭଳି ପୌରସଂସ୍ଥାଗୁଡ଼ିକ ବିଭିନ୍ନ ସ୍ଥାନରେ ଖୋଲିଥିବା ଜଳଛତ୍ରକୁ ପାଣି ଯୋଗାଣ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ, କଲେଜ, ଡାକ୍ତରଖାନା ଆଦି ପରିସରରେ ଥିବା ନଳକୂପଗୁଡ଼ିକୁ ଆବଶ୍ୟକ ସ୍ଥଳେ ମରାମତି କରିବା ସହିତ ଏଠାକୁ ଜଳଯୋଗାଣରେ ଯେଭଳି କୌଣସି ବାଧା ନଉପୁଜେ ତାହା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି। ପୌରାଞ୍ଚଳରେ ପୌର ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଜଳଯୋଗାଣ ବ୍ୟବସ୍ଥାକୁ ସୁଗମ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କୌଣସି ଠାରେ ଜଳ ଯୋଗାଣରେ ସମସ୍ୟା  ଦଖାଦେଲେ ତୁରନ୍ତ ବିଭାଗୀୟ ଯନ୍ତ୍ରୀ ଓ ଆବଶ୍ୟକସ୍ଥଳେ ଜିଲ୍ଲାପାଳଙ୍କ ନଜରକୁ ଆଣିବାକୁ କୁହାଯାଇଛି। କୌଣସି ଠାରେ ନୂତନ ନଳକୂପ କିମ୍ବା ଅନ୍ୟ ଜଳଉତ୍ସର ଆବଶ୍ୟକ ସେ ସଂକ୍ରାନ୍ତରେ ଜିଲ୍ଲାପାଳମାନେ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଲେ ତୁରନ୍ତ ସେ ଦିଗରେ ପଦକ୍ଷେପ ନେବାପାଇଁ କୁହାଯାଇଛି।