ଟୋଲ୍ ଆଦାୟ ସାମୟିକ ଭାବେ ବନ୍ଦ: ନୀତିନ ଗଡ଼କରି

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସ୍ ସଂକ୍ରମଣ ଏବଂ ୨୧ଦିନିଆ ଲକଡାଉନ ଯୋଗୁଁ ସମଗ୍ର ଦେଶର ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜାରେ ଫି’ ଆଦାୟ କରାଯିବ ନାହିଁ ବୋଲି ବୁଧବାର କେନ୍ଦ୍ର ସଡ଼କ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି ଘୋଷଣା କରିଛନ୍ତି।
ଟୁଇଟ୍ କରି ଗଡ଼କରି କହିଛନ୍ତି ଯେ ପୂର୍ବଭଳି ରାସ୍ତା ମରାମତି ଚାଲିବ ଏବଂ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଜରୁରୀ ସମ୍ବଳ ଉପଲବ୍ଧ ହେବ। ସମଗ୍ର ଦେଶରେ ଜରୁରୀ ସାମଗ୍ରୀ ଯୋଗାଣରେ ବାଧା ନ ଉପୁଜିବା ପାଇଁ ଟୋଲ୍ ଆଦାୟ ବନ୍ଦ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଗଡ଼କରି କହିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୧ ଦିନିଆ ଲକଡାଉନ ଘୋଷିତ ହେବା ପରେ ଗୃହ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ମାର୍ଗଦର୍ଶିକା ଅନୁସରଣ କରିବାକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କହିଥିଲେ।
ଔଷଧ ଓ ଡାକ୍ତରୀ ଉପକରଣ, ଖାଦ୍ୟ ସମାଗ୍ରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଅବାଧ ରହିବ ବୋଲି ଗୃହ ବ୍ୟାପାର ମନ୍ତ୍ରାଳୟ ଗୁରତ୍ୱାରୋପ କରିଥିଲେ ମଧ୍ୟ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କର ଭୁଲ୍ ବୁଝାମଣା ଯୋଗୁଁ ୨୧ଦିନିଆ ଲକଡାଉନର ପ୍ରଥମ ଦିନ ଭାରତର ବିଭିନ୍ନ ପ୍ରାନ୍ତକୁ ସାମଗ୍ରୀ ପରିବହନ କରାଇବାରେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।

Comments are closed, but trackbacks and pingbacks are open.