ଟୋକନ ସମସ୍ୟା ପାଇଁ ଧାନ ବିକ୍ରି କରି ପାରୁନାହାଁନ୍ତି ଚାଷୀ, ଆସନ୍ତାକାଲି ଆନ୍ଦୋଳନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଅତାବିରା ସମବାୟ ସମିତିର ୧୭୨ ଜଣ ଚାଷୀ ସୋମବାର ସକାଳେ ପଞ୍ଚଗାଁ ଛକ ନିକଟସ୍ଥ ଏନଏଚ୍-୪୯ରେ ଧାନବସ୍ତା ରଖି ଆନ୍ଦୋଳନ କରିବେ ସୂଚନା ମିଳିଛି। ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରିବ ଜିଲ୍ଲା କୃଷକ ସଙ୍ଗଠନ। ଏଥିପାଇଁ ଚାଷୀ ଓ ଜିଲ୍ଲା କୃଷକ ସଙ୍ଗଠନ ସମସ୍ତ ପ୍ରସ୍ତୁତି ଶେଷ କରିଛି ବୋଲି ଜିଲ୍ଲା କୃଷକ ସଙ୍ଗଠନର ପ୍ରବକ୍ତା ବିରଞ୍ଚି ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ପଞ୍ଜିକରଣ ତ୍ରୁଟି ଯୋଗୁଁ ୧୭୨ ଜଣ ଚାଷୀଙ୍କୁ ଆବଶ୍ୟକ ପରିମାଣର ଟୋକନ ମିଳିିନାହିଁ। ଫଳରେ ଏହି ଚାଷୀମାନେ ନିଜର ଉତ୍ପାଦିତ ପ୍ରାୟ ୬ ହଜାର କ୍ୱାଣ୍ଟାଲ ଧାନ ଏବେ ବିକ୍ରି କରିପାରୁ ନାହାଁନ୍ତି। ଫଳରେ ଚାଷୀମାନଙ୍କ ଧାନ ଏବେ ଖୋଲା ଆକାଶ ତଳେ ପଡ଼ି ନଷ୍ଟ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଚାଷୀମାନେ ବାରମ୍ବାର ଜିଲ୍ଲାପାଳ, ବିଧାୟକ, ସାଂସଦ, ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହେଲେ ତାଙ୍କୁ ଟୋକନ ପ୍ରଦାନ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏଥିରେ ଅତିଷ୍ଟ ହୋଇ ଗତ ୧୮ ତାରିଖ ଦିନ ଚାଷୀମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ ଗତ ୨୩ ତାରିଖ ଯାଏଁ ତାଙ୍କୁ ଟୋକନ ପ୍ରଦାନ କରାନଗଲେ ସେମାନେ ଏନଏଚ-୪୯ ଅବରୋଧ କରିବେ ବୋଲି ଜିଲ୍ଲାପଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ କୌଣସି ଚାଷୀଙ୍କୁ ଟୋକନ ନ ମିଳିବାରୁ ସେମାନେ ସୋମବାର ସକାଳୁ ଏନଏଚ-୪୯ ଅବରୋଧ କରିବେ ବୋଲି କହିଛନ୍ତ।