ରିଜର୍ଭ ପଡିଆଠାରେ ପୁଲିସ ଅଧିକାରୀଙ୍କ “ସମୁହ ନୀରବ ପ୍ରାର୍ଥନା ଓ ଶପଥ ପାଠ”

କଟକ,ଏନ୍ଏନ୍ଏସ୍: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ “କୋଭିଡ-୧୯” ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ରାଜ୍ୟବ୍ୟାପୀ “ସମୁହ ନୀରବ ପ୍ରାର୍ଥନା ଓ ଶପଥ ପାଠ” କରାଯାଇଛି। ଏନେଇ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟ ପୁଲିସ ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଓ ରାଜ୍ୟ ମାନବାଧିକାର ସୁରକ୍ଷା ସେଲର ୪୦୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀମାନେ ବକ୍ସିବଜାର ସ୍ଥିତ ରିଜର୍ଭ ପଡିଆଠାରେ ଏକତ୍ରିତ ହୋଇ ସମୂହ ନୀରବ ପ୍ରାର୍ଥନା ଓ ଶପଥ ପାଠ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ। ରାଜ୍ୟ ପୁଲିସର ବ୍ୟାଣ୍ତ ଦଳ ମଧ୍ୟ ଏଥିରେ ସାମିଲ ହୋଇ ସମ୍ମାନ ପ୍ରଦର୍ଶନ କରିଥିଲେ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ, ଅତିରିକ୍ତ ଡିଜି ଶ୍ରୀ ବିନୟତୋଷ ମିଶ୍ର, ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ଶ୍ରୀମତୀ ରେଖା ଲୋହାନୀ, ଶ୍ରୀ ଯତିନ୍ଦ୍ର କୋଏଲ, ଅମିତେନ୍ଦ୍ର ନାଥ ସିହ୍ନା, ପ୍ରବୀଣ କୁମାର, ଏଆଇଜି ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ସମେତ ସମସ୍ତ ଏଆଇଜି, ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସମ୍ମାନ ପ୍ରଦର୍ଶନ କରିଥିଲେ। ଏଆଇଜି ବାଳକୃଷ୍ଣ ହୋତା, ସହକାରୀ ଦୁର୍ଗପତି ପଙ୍କଜ କୁମାର ନାୟକ ଓ ସୁବେଦାର ଅଶୋକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ କୋଭିଡ ସଂଗ୍ରାମରେ ସାମିଲ ହୋଇ ପ୍ରାଣବଳୀ ଦେଇଥିବା ୬ ଜଣ ପୁଲିସ କରୋନା ଯୋଦ୍ଧାଙ୍କ ନାମ ପାଠ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାଣବଳୀ ଦେଇଥିବା ଏହି ଯୋଦ୍ଧାମାନେ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟର ଏଏସଆଇ ରବିନାରାୟଣ ବେହେରା, ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନାର ଏଏସଆଇ ଶିବରାମ ଦାସ, ବ୍ରହ୍ମପୁର ପୁଲିସ ଜିଲ୍ଲାର ଏଏସଆଇ କୃଷ୍ଣଚନ୍ଦ୍ର ମଣ୍ଡଳ, ଗଞ୍ଜାମ ଜିଲ୍ଲା ଆସ୍କା ଥାନାର କନଷ୍ଟେବଳ ଗୋଲକ ନାୟକ, ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ହୋମଗାର୍ଡ ସତ୍ୟ ରଞ୍ଜନ ସେଠୀ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର କାର୍ଯ୍ୟରତ ହୋମଗାର୍ଡ ଏସ ନରସିଂହ ଦାସ।