ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ କ୍ୟାବିନେଟକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଆଜି (ସୋମବାର) ବସିବ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକ। ପୂର୍ବାହ୍ନ ୧୧ଟା ୩୦ରେ କ୍ୟାବିନେଟ ବୈଠକ ବସିବା ନେଇ ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ନବୀନ ନିବାସରୁ ଭିସି ଯୋଗେ ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ସେପଟେ ବିଭିନ୍ନ ଜିଲ୍ଲା ଗସ୍ତ କରିଥିବା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଜିଲ୍ଲା ମୁଖ୍ୟାଳୟରୁ ବୈଠକରେ ଯୋଡିହେବେ। ସେହିପରି ଅନ୍ୟ କିଛି ମନ୍ତ୍ରୀ ଲୋକସେବା ଭାବନରୁ ବୈଠକରେ ସାମିଲ ହେବେ ବୋଲି ଜଣାପଡିଛି।
କ୍ୟାବିନେଟ ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ରାଜ୍ୟ ସରକାରଙ୍କ ମୋହର। ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ କ୍ୟାବିନେଟ ବୈଠକରେ ହୋଇପାରେ ବଡ ଘୋଷଣା। ଯେଉଁ କର୍ମଚାରୀଙ୍କ ଦରମା ୮ ହଜାର ୮୮୦ ରହିଛି, ତାହା ୧୩ ହଜାର ୬୦୦ ହୋଇପାରେ। ସେହପରି ଯେଉଁ କର୍ମଚାରୀଙ୍କ ଦରମା ୧୮ ହଜାର ରହିଛି ତାହା ବୃଦ୍ଧି ପାଇ ୨୫ ହଜାର ହେବା ନେଇ କ୍ୟାବିନେଟ ନିଷ୍ପତ୍ତି ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ଅର୍ଥ ବିଭାଗର କିଛି ନିଷ୍ପତ୍ତି ଉପରେ ମଧ୍ୟ କ୍ୟାବିନେଟ ମୋହର ବାଜିବ ବୋଲି କୁହାଯାଉଛି।