ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ପାଣିପାଗରେ ପରିବର୍ତ୍ତନ ଆସିବା ସହିତ ସୋମବାରଠାରୁ ଅନେକ ସ୍ଥାନରେ ବର୍ଷାର ପରିମାଣ ବଢ଼ିବ। ରବିବାର କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହା ଅଧିକ ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ପଶ୍ଚିମ ଉପକୂଳକୁ ଗତି କରିବ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି।

ଆସନ୍ତା ୨୪ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଦୁଇଟି ଘୂର୍ଣ୍ଣବଳୟ କାରଣରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୩ ତାରିଖରେ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨୪ ତାରିଖରେ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ବର୍ଷାର ପ୍ରକୋପ ବଢ଼ିବ। ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ସମେତ ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ୨୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କମିବା ସହିତ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢ଼ିବ।

ବିଶେଷ କରି ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶାରେ ମଧ୍ୟ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି। ବିଶେଷକରି ୨୫ ଓ ୨୬ ତାରିଖ ଦୁଇ ଦିନ ପ୍ରବଳ ବର୍ଷା ହେବ ବୋଲି ପ୍ରଫେସର ପଶୁୁପାଳକ ସୂଚନା ଦେଇଛନ୍ତି। ରବିବାର ରାଜ୍ୟର କିଛି ସ୍ଥାନରେ ଭଲ ବର୍ଷା ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା।