ଆଜି ଓଡ଼ିଶା-ତ୍ରିପୁରା ରଣଜୀ ମୁକାବିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭ୍ରମଣକାରୀ ଓଡ଼ିଶା ଏବଂ ଆୟୋଜକ ତ୍ରିପୁରା ମଧ୍ୟରେ ଚଳିତ ରଣଜୀ ସିଜନର ଚତୁର୍ଥ ରାଉଣ୍ଡ ମୁକାବିଲା ଅଗରତାଲାର ଏମ୍ବିବି ଷ୍ଟାଡିୟମ୍ରେ ଖେଳାଯିବ। ଏହି ମ୍ୟାଚ୍ ଲାଗି ଉଭୟ ଦଳ ବେଶ ଉତ୍ସାହିତ ଅଛନ୍ତି। ଏହାର କାରଣ ହେଲା ବୋନସ ପଏଣ୍ଟ ସହ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିବା ଓଡ଼ିଶା ଏଠାରେ ଆଉ ଏକ ବିଜୟ ସହ ବୋନସ ପଏଣ୍ଟ ହାସଲ କରିବା। ଏହା ସମ୍ଭବ ହୋଇପାରିଲେ ଦଳ କ୍ୱାର୍ଟର ଫାଇନାଲ ପ୍ରବେଶ ଲାଗି ଆଉ ପାଦେ ଆଗେଇବ। ଅନ୍ୟପକ୍ଷରେ ଘରୋଇ ତ୍ରିପୁରା ଦଳ କ୍ରମାଗତ ତୃତୀୟ ମ୍ୟାଚ୍ରେ ପରାଜୟ ବରଣ କରିଛି। ଏବେ ଦଳ ଘରୋଇ ମାଟିରେ ଖେଳୁଥିବାରୁ ଏହି ଧାରା ଭାଙ୍ଗିବାକୁ ସମସ୍ତ ପ୍ରକାର ଉଦ୍ୟମ କରିବ ବୋଲି ଆଶା କରିବା ସ୍ୱାଭାବିକ୍। ଉଭୟ ଦଳ ନିଜ ନିଜ ଲକ୍ଷ୍ୟରେ ପହଞ୍ଚିବାକୁ ଆଗ୍ରହୀ ଥିବାରୁ ଏହି ମ୍ୟାଚ୍ଟି ବେଶ୍ ଆକର୍ଷକ ହୋଇପାରେ ବୋଲି ଆଶା କରିବା ସ୍ୱାଭାବିକ୍।

*ସଫଳତା ଲାଗି ଓଡ଼ିଶା ଆଶାୟୀ*

ଓଡ଼ିଶା ଦଳ ଲାଗ ଲାଗ୍ ୩ଟି ମ୍ୟାଚ୍ରେ ବିଜୟୀ ହୋଇଥିବାରୁ ଆତ୍ମବିଶ୍ୱାସ ବଢିବା ସ୍ୱାଭାବିକ୍। କୋଚ୍ ରଶ୍ମିରଞ୍ଜନ ପରିଡା ମଧ୍ୟ ଠିକ୍ ତାହାହିଁ ଆଶା କରୁଛନ୍ତି। ଦଳ ଏଯାଏ ଯେଉଁ ଯୋଜନାରେ ସଫଳତା ପାଇଛି, ତାହାକୁ ଆମେ କାର୍ଯ୍ୟକାରୀ କରିବୁ। ଖେଳର ବେସିକ ଏବଂ ଆମ ଦଳର ସାମର୍ଥ୍ୟ ଉପରେ ହିଁ ଆମେ ନିର୍ଭର କରିବୁ। ଓଡ଼ିଶା ବିପକ୍ଷରେ ତ୍ରିପୁରା ଏଯାଏ ରଣଜୀ ଟ୍ରଫିରେ ଜିତି ନାହିଁ। ଏଥିଲାଗି ଆପଣ ଉତ୍ସାହିତ କି ବୋଲି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କୋଚ୍ ରଶ୍ମିରଞ୍ଜନ କହନ୍ତି, ପ୍ରତିଦ୍ୱନ୍ଦ୍ୱୀ ଯିଏ ହୁଅନ୍ତୁ ନା କାହିଁକି ଆମେ ସମସ୍ତ ମ୍ୟାଚ୍କୁ ଗୁରୁତ୍ୱ ଦେଇ ଖେଳୁଛୁ ଏବଂ ଆଗକୁ ମଧ୍ୟ ଖେଳିବୁ। ସମସ୍ତ ଖେଳାଳିଙ୍କର କିଛି ନିର୍ଦ୍ଦିଷ୍ଟ ଦାୟିତ୍ୱ ରହିଛି। ସେମାନେ ଏହାକୁ ପୂରଣ କରିବାକୁ ଚାହୁଁଛନ୍ତି। ଜଣେ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କଲେ ତାହାକୁ ଅର୍ଦ୍ଧଶତକ କିମ୍ବା ଶତକରେ ପୂରଣ କରିବାକୁ ଆଗ୍ରହ ଦେଖାଉଛନ୍ତି। ସେହିପରି ଜଣେ ବୋଲର ୨ କିମ୍ବା ୩ଟି ୱିକେଟ ପାଇଗଲେ ୫ଟି କିମ୍ବା ତା’ଠାରୁ ଅଧିକ ୱିକେଟ ନେବାକୁ ଆଗ୍ରହ ଦେଖାଉଛନ୍ତି। ସଫଳତା ପାଇବାକୁ ଖେଳାଳି ଏବଂ ଦଳ ମଧ୍ୟରେ ଥିବା ଏହି ହଙ୍ଗର (ଭୋକ ବା ଆଗ୍ରହ) ଓଡ଼ିଶାକୁ ଏକ ସଂଗଠିତ ଦଳରେ ପରିଣତ କରିଛି। ଏହାକୁ ନେଇ ଆମେ ତ୍ରିପୁରା ସହ ଖେଳିବୁ ବୋଲି ସେ କହିଛନ୍ତି।