ଆଇପିଏଲ-୨୦୨୧: ଆଜି କୋଲକାତା ଓ ପଞ୍ଜାବ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ,ଏଜେନ୍ସି: ମୁମ୍ବାଇ ଇଣ୍ଡିଆନ୍ସକୁ ୯ ୱିକେଟରେ ହରାଇ ବିଜୟ ଧାରାକୁ ଫେରିଥିବା ପଞ୍ଜାବ କିଙ୍ଗ୍ସ ଆଜି ତାର ପରବର୍ତ୍ତୀ ମ୍ୟାଚରେ ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ଭେଟିବ। ଲଗାତାର ତିନିଟି ପରାଜୟ ପରେ ବିଜୟ ହାସଲ କରିଥିବା କେଏଲ୍ ରାହୁଲଙ୍କ ଦଳ ନିଶ୍ଚିତ ଏହି ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପଟେ ଲଗାତାର ୪ଟି ପରାଜୟ ବରଣ କରିଥିବା କେକେଆରକୁ ପ୍ଲେ ଅଫ୍ ଅଭିଯାନ ଟ୍ରାକରେ ବଜାୟ ରହିବା ପାଇଁ ଏହି ମ୍ୟାଚକୁ ଜିତିବାକୁ ପଡ଼ିବ।

ଉଭୟ ଦଳରେ ଏକାଧିକ ପ୍ରତିଭାବାନ ଖେଳାଳି ଥିବାରୁ ଏହି ମ୍ୟାଚ୍‌ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ତେବେ ଉଭୟ ଦଳ ନିଜ ନିଜର ମୁମ୍ବାଇ ଓ ଚେନ୍ନାଇ ପର୍ଯ୍ୟାୟ ଲିଗ୍ ମ୍ୟାଚ୍‌କୁ ଶେଷ କରି ଅହମ୍ମଦାବାଦରେ ପ୍ରଥମ ଥର ଖେଳିବାକୁ ଯାଉଛନ୍ତି। ଆଉ ମ୍ୟାଚ୍ ନବନିର୍ମିତ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହି ଷ୍ଟାଡିୟମର ପିଚ୍ ଓ ପରିବେଶ ଉଭୟ ଦଳ ପାଇଁ ନୂଆ ଆହ୍ୱାନ ନେଇ ଆସିବ। ପଞ୍ଜାବ କିଙ୍ଗ୍ସ ତୃତୀୟ ଏବଂ କେକେଆର୍‌ ଦ୍ୱିତୀୟ ବିଜୟ ଲାଗି ଲଢ଼େଇ କରିବ।