ଲକ୍ଷ୍ନୌ,ଏଜେନ୍ସି: ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଫାୟାରବ୍ରାଣ୍ଡ ବିଜେପି ନେତା କଲ୍ୟାଣ ସିଂଙ୍କ ଆଜି ହେବ ଅନ୍ତିମ ସଂସ୍କାର। ଅପରାହ୍ଣ ୨ଟାରେ ନରୌରା ସ୍ଥିତ ଗଙ୍ଗାଘାଟରେ ସମ୍ପନ୍ନ ହେବ ଶେଷକୃତ୍ୟ। କଲ୍ୟାଣ ସିଂଙ୍କ ପାର୍ଥିବ ଶରୀର ଆଜି ସକାଳୁ ତାଙ୍କ ଜନ୍ମମାଟି ମଢୋଲୀରେ ପହଞ୍ଚିଛି। ଅପରାହ୍ଣ ୨ ଟାରେ ନରୋରା ଅଭିମୁଖେ ଅନ୍ତିମ ଯାତ୍ରାରେ ନିଆଯିବ କଲ୍ୟାଣ ସିଂଙ୍କୁ। କଲ୍ୟାଣ ସିଂଙ୍କ ଅନ୍ତିମ ଯାତ୍ରାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୟୁପି, ମଧ୍ୟ ପ୍ରଦେଶ, ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ହେଭିୱେଟ ନେତା ସାମିଲ ହେବେ।
କଲ୍ୟାଣ ସିଂଙ୍କ ଦେହାନ୍ତ ଗତ ଶନିବାର ରାତି ୯ ଟାରେ ୮୯ ବର୍ଷ ବୟସରେ ହୋଇଥିଲା। ଦୀର୍ଘଦିନର ଅସୁସ୍ଥତା ପରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ୟୁପିରେ ୩ ଦିନିଆ ଶୋକ ପାଳନ ଘୋଷଣା କରାଯାଇଥିଲା। ଯେଉଁଥିରେ ୨ ଦିନ ଥିଲା ରାଜକୀୟ ଶୋକ ଓ ଗୋଟିଏ ଦିନ ସାର୍ବଜନୀନ ଶୋକ। ଫଳରେ ଆଜି ରାଜ୍ୟର ସମସ୍ତ ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। କଲ୍ୟାଣ ସିଂ ଭାରତୀୟ ଜନତା ପାର୍ଟିର ଥିଲେ ଜଣେ ବରିଷ୍ଠ ଓ ଚର୍ଚ୍ଚିତ ରାଜନେତା। କଠୋର ହିନ୍ଦୁତ୍ୱବାଦୀ ନେତା। ଧର୍ମ ପାଇଁ ସେ କ୍ଷମତାକୁ ମଧ୍ୟ ତୁଚ୍ଛ କରିଥିଲେ। ନିଜ ରାଜନୈତିକ ଜୀବନରେ ମୁଖ୍ୟମନ୍ତ୍ରୀ, ବିଧାୟକ ସାଂସଦ ଓ ରାଜ୍ୟପାଳ ହୋଇଥିଲେ କଲ୍ୟାଣ ସିଂ। କଲ୍ୟାଣ ସିଂଙ୍କ ଶେଷଯାତ୍ରା ନେଇ ସମସ୍ତ ସୂଚନା ଦେଇଛନ୍ତି ପୁଅ ତଥା ବିଜେପି ସାଂସଦ ରାଜବୀର ସିଂ।