ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ କ୍ୱାଲିଫାୟର୍‌

ଦୁବାଇ,ଏଜେନ୍ସି: ଅନୁଭବୀ ମୁମ୍ବାଇ ଇଣ୍ଡିଆନ୍ସ ଓ ଚଳିତ ଆଇପିଏଲ୍ ସିଜନ୍‌ରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଗୁରୁବାର ଏଠାରେ ଚଳିତ ସିଜନ୍‌ର ପ୍ରଥମ କ୍ୱାଲିଫାୟରରେ ଜୋରଦାର ଲଢ଼େଇ ହେବ। କଦାପି ଫାଇନାଲ୍‌ରେ ପହଞ୍ଚି ନ ଥିବା ଦିଲ୍ଲୀ ଓ ଆଇପିଏଲ୍‌ର ସବୁଠାରୁ ସଫଳ ମୁମ୍ବାଇର ପ୍ରଥମ କ୍ୱାଲିଫାୟର୍‌ରେ ସିଧାସଳଖ ଫାଇନାଲ୍ ଟିକେଟ୍ ହାସଲ କରିବା ଏକମାତ୍ର ଟାର୍ଗେଟ୍ ରହିବ। ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ମୁମ୍ବାଇକୁ ଲିଗ୍ ପର୍ଯ୍ୟାୟରେ ଦିଲ୍ଲୀ ପକ୍ଷେ ହରାଇବା କଷ୍ଟକର ହୋଇଥିଲେ ମଧ୍ୟ ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦଠାରୁ ୧୦ ୱିକେଟ୍ ପରାଜୟ ବରଣ କରିଥିବାରୁ ଏହା ଦିଲ୍ଲୀକୁ ଉତ୍ସାହିତ କରିବ।

ଅନ୍ୟ ପକ୍ଷରେ ପ୍ରଥମ ଟାଇଟଲ୍ ଲକ୍ଷ୍ୟରେ ଥିବା ଦିଲ୍ଲୀ ଲଗାତାର ୪ଟି ମ୍ୟାଚ୍ ହାରିବା ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିିକେଟ୍‌ରେ ହରାଇ ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହି ବିଜୟ ଦଳର ମନୋବଳକୁ ବେଶ୍ ସଶକ୍ତ କରିବାରେ ନିଶ୍ଚିତ ସହାୟକ ହେବ। ମାଂସପେଶୀ ଟାଣି ହୋଇଥିବାରୁ ଲିଗ୍ ପର୍ଯ୍ୟାୟରେ ୪ଟି ମ୍ୟାଚ୍ ଖେଳି ପାରିନଥିବା କ୍ୟାପ୍‌ଟେନ୍ ରୋହିତ ଶର୍ମା ଇତିମଧ୍ୟରେ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି। ତେଣୁ ଏହା ଦଳ ପାଇଁ ଏକ ସକାରାତ୍ମକ ଖବର। ତେବେ ମଙ୍ଗଳବାର ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଶସ୍ତାରେ ଆଉଟ୍ ହୋଇଥିବା ଏହି ଷ୍ଟାର୍ ଓପ୍ନରଙ୍କୁ ଗୁରୁବାର ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।